Categories: ରାଜ୍ୟ

ଓଡ଼ିଶାରେ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ଭୁବନେଶ୍ୱର, ୧୧ା୧୧: ଓଡ଼ିଶାରେ ବିଭିନ୍ନ ଜିଲାରେ ଦେବ ଦୀପାବଳି ଓ କାଳୀପୂଜା ଅବସରରେ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇପଡିଛନ୍ତି। ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ଶୀତଦିନରେ ପ୍ରଦୂଷଣର ପରିମାଣର ବୃଦ୍ଧିକୁ ଦେଖି ତୀବ୍ର ଶବ୍ଦଯୁକ୍ତ ଓ ବିଷାକ୍ତ ଧୂଆଁ ସୃଷ୍ଟିକାରୀ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି ।

ବେରିୟମ ସଲ୍ଟ ଓ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ବାଣକୁ ନ ଫୁଟାଇବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । କେବଳ ସବୁଜବାଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଏନେଇ ରାଜ୍ୟ ସରକାରଙ୍କ ତଦନୁଯାୟୀ ମାର୍ଗଦର୍ଶିକା ଜାରି କରାଯାଇଛି । ରାତି ୧୦ଟା ପରେ କେହି ବାଣ ନ ଫୁଟାଇବା ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏପରିକି ପ୍ରଚଣ୍ଡ ଶବ୍ଦସୃଷ୍ଟିକାରୀ ବାଣ ବିଦ୍ୟାଳୟ, ହସ୍ପିଟାଲ, ନର୍ସିଂହୋମ୍‍, ବୟସ୍କଙ୍କ ଆଶ୍ରୟସ୍ଥଳ, ସଡ଼କ ତଥା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ନ ଫୁଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ବସ୍‍ରେ ବାଣ ପରିବହନକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି । ଯଦି ଏହି ଆଦେଶ ଅମାନ୍ୟ କରାଯାଏ, ତେବେ ସମ୍ପୃକ୍ତ ଯାନବାହନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକର ଦକ୍ଷିଣେଶ୍ୱର କାଳୀ, ଆରଡିର ଶ୍ୟାମାକାଳୀ, ଚରମ୍ପାର ପଥର କାଳୀ ପୀଠ ସମେତ ସହରର ୬୦ରୁ ଊର୍ଦ୍ଧ୍ୱ ମୃଣ୍ମୟୀ କାଳୀ ପ୍ରତିମାଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭଦ୍ରକାଳୀ ସାହି ଆହରପଦାର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ଭଦ୍ରକାଳୀ ପୀଠରେ ମହାଯଜ୍ଞ, ଗୀତାଯଜ୍ଞ ସହ ଦୀପାବଳୀଠାରୁ ୭ ଦିନ ବ୍ୟାପୀ କାଳୀପୂଜା ଅନୁଷ୍ଠିତ ହେଉଛି ।

Share