କେନ୍ଦ୍ର ବଜେଟ୍‌ ପାଇଁ ପ୍ରସ୍ତାବ ଦାଖଲ କଲେ ଓଡ଼ିଶା ସରକାର, ରହିଛି ଏସବୁ ଦାବି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨ା୬: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍‌-ବଜେଟ୍‌ ପରାମର୍ଶ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଆଗାମୀ କେନ୍ଦ୍ର ବଜେଟ୍‌ ୨୦୨୪-୨୫ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ।

ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ ୨୦୨୪-୨୫ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା।

ସେଗୁଡ଼ିକ ହେଲା …

ଓଡ଼ିଶାରେ ଅନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡ଼ିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା।

ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ବତନ୍ତ୍ର ସହାୟତା ଯୋଜନା ୨୦୨୪-୨୫(ଏସ୍‌ଏସିଆଇ) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ।

କେନ୍ଦ୍ର ବଜେଟ୍‌ରେ ସିଏସ୍‌ଏସ୍‌ ଯୋଜନା ଅଧୀନରେ ରାଜ୍ୟଓ୍ବାରି ବାର୍ଷିକ ଆବଣ୍ଟନର ଅଗ୍ରୀମ ସୂଚନା, ଯାହା ରାଜ୍ୟଗୁଡ଼ିକୁ ସେମାନଙ୍କର ବଜେଟକୁ ବାସ୍ତବ ଭିତ୍ତିରେ ପ୍ରସ୍ତୁତ ଏବଂ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ।

ଓଡ଼ିଶାର ସମ୍ବଲପୁରଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ବଜେଟ୍‌, ୨୦୨୪-୨୫ରେ ଉପଯୁକ୍ତ ବ୍ୟବସ୍ଥା।

ଓଡ଼ିଶାରେ ଜାତୀୟ ରାଜପଥ, ବିଶେଷକରି କୋଷ୍ଟାଲ ହାଇଓ୍ବେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‌ (ସିଆର୍‌ଆର୍‌ଆର୍‌) ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ।

ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା।
ପିଏମ୍‌ଏଓ୍ବାଇ ଯୋଜନା ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତି କମ୍‌ରେ ୫ ଲକ୍ଷ ଘର ନିର୍ମାଣ ନିମନ୍ତେ କେନ୍ଦ୍ର ବଜେଟ୍‌ରେ ଆବଶ୍ୟକୀୟ ଆବଣ୍ଟନ।

ଓଡ଼ିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଏବଂ ଓ ବିଦ୍ୟୁତ୍‌ କ୍ଷେତ୍ର ସମସ୍ୟାର ସମାଧାନ ନିମନ୍ତେ, ସଂଶୋଧିତ ବିତରଣ ସେକ୍ଟର ସ୍କିମ୍‌ (ଆର୍‌ଡିଏସ୍‌ଏସ୍‌) ଅଧୀନରେ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା (ଡିଆଇଏସ୍‌ସିଓଏମ୍‌)ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ଏବଂ ଓଡ଼ିଶାରେ ଗ୍ରୀନ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ ଅଟେ।
ତେବେ ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ ଦାବି ଏବଂ ପରାମର୍ଶଗୁଡ଼ିକ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Share