ଆସନ୍ତା ୨୭ରେ ରାଜ୍ୟର ସମସ୍ତ ସ୍କୁଲ-କଲେଜ ଛୁଟି

ଭୁବନେଶ୍ବର,୨୫।୧(ଅସମାପିକା ସାହୁ): ଆସନ୍ତା ଶନିବାର (୨୭ ତାରିଖ)ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି। ଏହି ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଜାନୁଆରୀ ୨୭ ତାରିଖ ଦିନ ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରପକ୍ଷେ ଉକ୍ତଦିନ ଚତୁର୍ଥ ଶନିବାର ଯୋଗୁ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ।

ତେବେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ପୀଠର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଇଛି । ମା’ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ।

Share