ବଦଳିଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା; ମହିଳାଙ୍କୁ ୫୦% ଆସନ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ସାନି ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପୂର୍ବରୁ ଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରାଯାଇଛି। ନୂତନ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ଅନୁସୂଚିତ ଜନଜାତି ପାଇଁ ୭ ଜିଲା ପରିଷଦ ଆସନ, ଅନୁସୂଚିତ ଜାତି ପାଇଁ ୫ ଜିଲା ପରିଷଦ ଆସନ ସଂରକ୍ଷିତ ରହିଥିବା ବେଳେ ୧୦ ଜିଲା ପରିଷଦ ଆସନ ଅଣସଂରକ୍ଷିତ ରହିଛି। ରାଜ୍ୟପାଳଙ୍କ ଅନୁମୋଦନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଜାନୁଆରୀ ୩ ସୁଦ୍ଧା ଆପତ୍ତି ଅଭିଯୋଗ ଆହ୍ବାନ ପାଇଁ ଉଲ୍ଲେଖ ରହିଛି ।

ପୂର୍ବ ବିଜ୍ଞପ୍ତିରେ ରାଜ୍ୟ ସରକାର ୫୦ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ପ୍ରକାଶ କରିଥିବାବେଳେ ସଦ୍ୟ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ମଧ୍ୟ ସମାନ ପ୍ରକାଶ କରିଛନ୍ତି। ପଛୁଆବର୍ଗ ନେଇ କୌଣସି ସ୍ଥାନ ସଂରକ୍ଷିତ ରହିବ ନାହିଁ ବୋଲି ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ବିଜ୍ଞପ୍ତିରେ ପଛୁଆବର୍ଗ ପାଇଁ କୌଣସି ଆସନ ସଂରକ୍ଷଣ ରଖାଯାଇ ନାହିଁ।