ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ₹୧୫୫ କୋଟି

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭିମୁଖ୍ୟ ବିଷୟରେ ଜନସାଧାରଣ ଏବଂ ଭବିଷ୍ୟତ ପିଢ଼ିକୁ ସଚେତନ କରିବା ପାଇଁ ୨୦୨୪ ଜାନୟାରୀ ୧୭ରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଉକ୍ତ ଲୋକାର୍ପଣ ସମାରୋହରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରୁ ଜନସାଧାରଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏଥିନିମନ୍ତେ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିସହିତ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ବିଭିନ୍ନ ଟିଇସି କାର୍ଯ୍ୟକ୍ରମ ନିମନ୍ତେ ୧୩୫.୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିପାଇଁ ପୂର୍ବ ଅନୁମୋଦିତ ବଜେଟ ୪୦୦୦ କୋଟି ଟଙ୍କାରୁ ୪୨୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଲାଗି ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପୂର୍ବରୁ ଆରମ୍ଭ କରିଥିଲେ ।

ଏହି ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହିତ ଓଡ଼ିଶାର ସମୃଦ୍ଧ ଜଗନ୍ନାଥ ସଂସ୍କୃତିକୁ ବିଶ୍ବବ୍ୟାପକ କରିବା ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ । ଉକ୍ତ ପ୍ରସ୍ତାବ ସହିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

 

 

Share