ଜାତୀୟ ହାରଠୁ ଓଡ଼ିଶାରେ ୨୪% ଅଧିକ ବନାଞ୍ଚଳ

ଭୁବନେଶ୍ୱର,୮ା୧୦(ବ୍ୟୁରୋ):ଗୃହପାଳିତ ପ୍ରାଣୀଙ୍କୁ ଯେଉଁଭଳି ଭାବେ ଆମେ ସ୍ନେହ ଓ ଆଦର କରିଥାଉ, ବନ୍ୟପ୍ରାଣୀଙ୍କ ପ୍ରତି ସେହିଭଳି ଆଦର, ଦୟା, କରୁଣା ଭାବ ଆମ ଭିତରେ ରହିବା ଉଚିତ। ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ। ଆମର ବିରଳ ଜୈବବିବିଧତା ସୁରକ୍ଷିତ ରହୁ। ଏଥିପାଇଁ ଜନସାଧାରଣ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆହ୍ବାନ ଦେଇଛନ୍ତି। ପ୍ରକୃତି ଭବନଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ଭୌଗୋଳିକ ଆୟତନର ୩୩.୧୫ ପ୍ରତିଶତ ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇପାରିଛି, ଯାହା ଜାତୀୟ ହାରଠାରୁ ୨୪ ପ୍ରତିଶତରୁ ଯଥେଷ୍ଟ ଅଧିକ। ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୧୨୯ ପ୍ରକାରର ସରୀସୃପ ଆମ ରାଜ୍ୟରେ ଦେଖାଯାଇଥାନ୍ତି। ବିଭିନ୍ନ ବନ୍ୟପ୍ରାଣୀ ଓ ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ଆବାସସ୍ଥଳୀ ବାହାରେ ସଂରକ୍ଷଣ ନିମନ୍ତେ ୧୯ ଅଭୟାରଣ୍ୟ, ୩ ହସ୍ତୀ ପ୍ରକଳ୍ପ, ୨ ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ସଂରକ୍ଷିତ ଜୈବମଣ୍ଡଳ ଓ ଗୋଟିଏ ଜାତୀୟ ଉଦ୍ୟାନ ସ୍ଥାପନ କରାଯାଇଛି। ତେବେ ଅଧିକ ୩ ଅଭୟାରଣ୍ୟ ସ୍ଥାପନ ସହ ସୁନାବେଡ଼ା ଅଭୟାରଣ୍ୟର ପରିସୀମା ୧୧୧ ବର୍ଗ କିଲୋମିଟର ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ରହିଛି। ଏସବୁ ବନ୍ୟପ୍ରାଣୀଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଞ୍ଚଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇଥିବାରୁ ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ଆମର କର୍ତ୍ତବ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ସେଭ୍‌ ଏଲିଫ୍ୟାଣ୍ଟ୍‌ ଫାଉଣ୍ଡେଶନ ଟ୍ରଷ୍ଟକୁ ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯାଇଛି। ଏଥିସହ ମନ୍ତ୍ରୀ ‘ଅନୁକମ୍ପା’ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରାଯିବ। ସେହିଭଳି ୱାଇଲ୍ଡଲାଇଫ୍‌ ଓଡ଼ିଶା ୨୦୨୦ର ଆନୁଆଲ ରିପୋର୍ଟ, କଫି ଟେବୁଲ ବୁକ୍‌ ଅନ୍‌ ଇକୋଟୁରିଜମ୍‌, ଏନ୍‌ଡବ୍ଲ୍ୟୁସିଏସ୍‌ଓ ନ୍ୟୁଜ୍‌ଲେଟର ମଧ୍ୟ ଉନ୍ମୋଚିତ ହୋଇଥିଲା। କୁଇଜ୍‌ ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ହରିଶଙ୍କର ଉପାଧ୍ୟାୟ ଓ ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶଶି ପଲ ଉପସ୍ଥିତ ଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇଥିଲେ।

Share