ଭୁବନେଶ୍ୱର, ୩୦।୧୧(ତପନ ସ୍ବାଇଁ): ନେପାଳରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେଇଥିବା ଭାରତୀୟ ଦଳରେ ଓଡ଼ିଶାର ୫ କରାଟେକା ସ୍ଥାନ ପାଇଛନ୍ତି। ଗତ ଜାତୀୟ ପ୍ରତିଯୋଗିତାରୁ ପ୍ରଦର୍ଶନ ମନୋନୀତ ହୋଇଥିବା ଏହି ୫ କରାଟେକା ହେଲେ ଭାଲେନା ଭାଲେଣ୍ଟିନା, ସୁରମିତା ସିହ୍ନା, ଶୁଭକାନ୍ତ ବିଶ୍ୱାଳ, ଲୋମା ସ୍ବାଇଁ ଓ ସୁମନ ଶେଖର ଦାସ। ସୁରମିତା ଓ ଭାଲେନା ଟିମ୍ କାଟା ଓ ବ୍ୟକ୍ତିଗତ କାଟାରେ ଭାଗନେବେ। ସେହିପରି ଶୁଭକାନ୍ତ, ସୁମନ ଓ ଲୋମା ସ୍ବାଇଁ ବ୍ୟକ୍ତିଗତ ଫାଇଟିଂରେ ଅଂଶଗ୍ରହଣ କରିବେ। ନେପାଳ ଯାତ୍ରା ପୂର୍ବରୁ ଓଡ଼ିଶାର ଏହି କରାଟେକା ମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ବିଦାୟୀ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ସଭାପତି ହରିପ୍ରସାଦ ପଟ୍ଟନାୟକ, ସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲିକ, ସଞ୍ଜୟ ଦାସ, କାଳିପ୍ରସାଦ ନନ୍ଦ, ସନତ ନାୟକ, ଅନୁପମା ସ୍ବାଇଁ, କ୍ରିଷ୍ଣା ଶିକାରୀ, ଯୋଗେଶ ବରିହା, ସୁସ୍ମିନି ପାଲଟାସିଂ, ନ୍ୟାନା ସୁମାରୀ, ରଜନୀ ବିଶି ଓ ସଞ୍ଜୀବ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।