ଭୁବନେଶ୍ୱର,୨୦।୩: ଓଡ଼ିଶାରେ ଭରପୂର ସୁନା ରହିଛି। ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲାରେ ବି ସୁନା ଖଣି ରହିଛି। ସେହିଭଳି ମୟୂରଭଞ୍ଜ ଜିଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଏବଂ ସୁଲେଇପାଟ(ଧୂସୁରା ପାହାଡ଼) ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ବେଷଣ ନିମନ୍ତେ ଅନୁସନ୍ଧାନ ଜାରି ରହିଛି।
ପୂର୍ବରୁ ରାଜ୍ୟରେ ଦେବଗଡ଼ ଜିଲାର ଆଡ଼ାସ-ରାମପାଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ତମ୍ବାପଥର ପାଇଁ ଜି-୨ସ୍ତରରେ ଅନ୍ବେଷଣ କଲାବେଳେ ସୁନାର ସନ୍ଧାନ ମିଳିଛି। ତେବେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ସୁନାଖଣି ଚିହ୍ନଟ ଲାଗି ଅନୁସନ୍ଧାନ ଜାରି ରହିଥିବା ନେଇ ବିଧାନସଭାରେ ଗୁରୁବାର ଖଣି ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି।
