Categories: ବାଣିଜ୍ୟ

ଶିଳ୍ପପତିଙ୍କ ପସନ୍ଦ ପାଲଟିଛି ଓଡ଼ିଶା

ଭୁବନେଶ୍ୱର,୧୮ା୫(ବ୍ୟୁରୋ) : ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ଓଡ଼ିଶା। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଶିଳ୍ପପତି ଓଡ଼ିଶା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଶିଳ୍ପପତିଙ୍କ ଭରସା ବଢ଼ାଇଛି। ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ ପଛରେ ପକାଇଛି ରାଜ୍ୟ। ଏକ ଘରୋଇ ସଂସ୍ଥା ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇ) ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଗୁଜରାଟ, ଆନ୍ଧ୍ର ପ୍ରଦେଶ, କର୍ନାଟକ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶକୁ ପଛରେ ପକାଇ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ମହାରାଷ୍ଟ୍ର ପଛକୁ ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ମହାରାଷ୍ଟ୍ର ୨୭.୬ ଲକ୍ଷ କୋଟି ପୁଞ୍ଜି ଆକୃଷ୍ଟ କରିଥିବା ବେଳେ ଓଡ଼ିଶା ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି। ସେହିପରି ଗୁଜରାଟ ୧୯.୪ ଲକ୍ଷ କୋଟି ଏବଂ ଆନ୍ଧ୍ର ପ୍ରଦେଶ ୧୭.୬ ଲକ୍ଷ କୋଟି ପୁଞ୍ଜିନିବେଶକୁ ଆକୃଷ୍ଟ କରିପାରିଛି। କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଓଡ଼ିଶାକୁ ଆସିଥିଲା। ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଥିଲା। ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ଦେଶର ୧୬ ପ୍ରତିଶତ ନିବେଶ ହୋଇଥିବା ବେଳେ ଓଡ଼ିଶାକୁ ୧୮ ପ୍ରତିଶତ ମିଳିଥିଲା। ୨୦୨୩ ରିପୋର୍ଟରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ରାଜ୍ୟକୁ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି। ପୁଞ୍ଜିନିବେଶରେ ଦେଶଠୁ ଓଡ଼ିଶା ଆଗରେ ରହିଛି। ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି। ମେକ୍‌ ଇନ୍‌ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପାଇଁ ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨୦୧୮ରେ ୨୦୨ଟି ଶିଳ୍ପ ପ୍ରସ୍ତାବ ଆସିଥିଲା। ଏଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ପ୍ରତିଶ୍ରୁତି ମିଳିଥିଲା। ମେକ୍‌ ଇନ୍‌ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପାଇଁ ପୁଞ୍ଜିପତି ଆଗେଇ ଆସିଥିଲେ। ଏସବୁ କାର୍ଯ୍ୟକାରୀ ହେଲେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ। ଡାଉନଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି। କେବଳ ଖଣିଜଭିତ୍ତିକ ଶିଳ୍ପ ନୁହେଁ କୃଷି, ବୟନ ଶିଳ୍ପ, ଆଇଟି ଓ ଆଇଟିଏସ୍‌, ପେଟ୍ରୋକେମିକାଲ ସେକ୍ଟରରେ ମଧ୍ୟ ପୁଞ୍ଜିନିବେଶରେ ଓଡ଼ିଶା ରେକର୍ଡ କରିଛି।

Share