ଭୁବନେଶ୍ୱର, ୧୬।୧୨(ବ୍ୟୁରୋ):କୃଷି ବିକାଶ ଏବଂ କୃଷକ କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶା। ନୂଆଦିଲ୍ଲୀସ୍ଥିତ ଏରୋସିଟିସ୍ଥିତ ହଲିଡେ ଇନ୍ଠାରେ ଏଗ୍ରିକଲ୍ଚର ଟୁଡେ ଗ୍ରୁପ୍ ପକ୍ଷରୁ ଗୁରୁବାର ଅନୁଷ୍ଠିତ ତ୍ରୟୋଦଶ ଏଗ୍ରିକଲଚର ଲିଡରଶିପ୍ ଆୱାର୍ଡ-୨୦୨୨ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଞ୍ଜନା ପଣ୍ଡା ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି। କୃଷି ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ, କୃଷି କ୍ଷେତ୍ରରେ ନୂତନ ନୀତି ନିର୍ଦ୍ଧାରଣ କରିଥିବାରୁ ଜାତୀୟସ୍ତରରେ ଗଠିତ ଜୁରି ପ୍ୟାନେଲ୍ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଏକଦା ଖାଦ୍ୟଶସ୍ୟ ଉତ୍ପାଦନରେ ନିଅଣ୍ଟିଆ ରାଜ୍ୟ ଥିଲା ଓଡ଼ିଶା। ତେବେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଏବଂ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏବେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟ ବାହାରକୁ ବଳକା ଚାଉଳ ରପ୍ତାନି କରି ଓଡ଼ିଶା ଉଦାହରଣ ସୃଷ୍ଟି କରିଛି।