ଭାକ୍ସିନ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲା ରାଜ୍ୟ

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏନେଇ ଇ-ଟେଣ୍ଡର ପୋର୍ଟାଲ (https://tendersodisha.gov.in) ଜରିଆରେ ଯୋଗ୍ୟ ବିଡର୍‌ଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଟିକା ଯୋଗାଣକାରୀ ଆଗ୍ରହୀ ପକ୍ଷମାନେ ମେ’ ୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରି-ବିଡ୍‌ ବୈଠକରେ ଯୋଗଦେଇପାରିବେ। ଅନ୍‌ଲାଇନ୍‌ ମିଟିଙ୍ଗର ଲିଙ୍କ୍‌ ସମ୍ପର୍କରେ ଓଏସ୍‌ଏମ୍‌ସିଏଲ୍‌ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯିବ। ୨୦ ତାରିଖ ଅପରାହ୍ନ ୩ଟାରୁ ୨୮ ପୂର୍ବାହ୍ନ ୧୦ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପକ୍ଷମାନେ ଆବେଦନ କରିପାରିବେ। ସେହିଦିନ ପୂର୍ବାହ୍ନ ୧୧ଟା ୩୦ରେ ଟେକ୍ନିକାଲ ବିଡ୍‌ ଏବଂ ଅପରାହ୍ନ ୫ଟାରେ ପ୍ରାଇସ୍‌ ବିଡ୍‌ ଖୋଲାଯିବ। ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରହିପାରୁଥିବା ୩.୮୦ କୋଟି ଡୋଜ୍‌ ଟିକା ଗ୍ଲୋବାଲ ଇ-ଟେଣ୍ଡର ଜରିଆରେ କିଣିବାକୁ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା।

Share