Categories: ବାଣିଜ୍ୟ

ସାରା ବିଶ୍ୱରେ ଓଡ଼ିଶା ଚାଉଳର ଚାହିଦା ସର୍ବାଧିକ

ଭୁବନେଶ୍ୱର,୫।୯ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଅଲ ଓଡ଼ିଶା ରାଇସ ମିଲର୍ସ ଆସୋଶିଏଶନ (ଅରୋମା/ଏଓଆରଏମଏ)ର ୨ ଦିନିଆ ଅଲ ଓଡିଶା ରାଇସ ମିଲର୍ସ କନକ୍ଲେଭ-୨୦୨୪ ବୁଧବାର ଉଦ୍‌ଯାପିତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ଉଭୟ ସରକାରୀ ଓ ଘରୋଇ ପ୍ରତିଷ୍ଠାନର ମିଳିତ ସହଯୋଗରେ ସେପ୍ଟେମ୍ବର ୩ରୁ ଆୟୋଜିତ ଏହି ୨ ଦିନିଆ ସମ୍ମିଳନୀରେ ରାଜ୍ୟର ପ୍ରାୟ ୫୦୦ ମିଲର୍ସ ଓ ୧୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀର ୨ୟ ଦିନ ବା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଥିଲେ, ଓଡ଼ିଶାର ଚାଉଳ ସାରା ବିଶ୍ୱରେ ସର୍ବାଧିକ ଚାହିଦା ବହନ କରିଥାଏ। କାରଣ ଆମ ମିଲର୍ସମାନେ ଉନ୍ନତମାନ ଚାଉଳ ଉତ୍ପାଦନ ସହ ରପ୍ତାନି ମଧ୍ୟ କରିଥାନ୍ତି। ବିଶେଷକରି ଗୁଣାତ୍ମକମାନର କଞ୍ଚାମାଲ ଓ ଠିକ୍‌ ଭାବେ ତା’ର ପ୍ରସ୍ତୁତି ଯୋଗୁ ଚାଉଳମାନ ଉଚ୍ଚ କୋଟିର ହୋଇଥାଏ ବୋଲି ସାମଲ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି ବାଚସ୍ପତି ସୁରମା ପାଢ଼ୀ କହିଥିଲେ ମିଲର୍ସମାନେ କୃଷକଙ୍କର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାନ୍ତି। ସେମାନେ ଆମର ଚାଷୀଭାଇଙ୍କଠାରୁ ଧାନ କ୍ରୟ କରି ଠିକ୍‌ ଭାବେ ତା’ର ପ୍ରକ୍ରିୟାକରଣ କରି ଉଭୟ ଘରୋଇ ଓ ବିଦେଶ ବଜାରର ଚାହିଦା ମେଣ୍ଟାଇଥାନ୍ତି। ଅପରପକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୋକୁଳାନନ୍ଦ ମଲିକ ଉଭୟ ଚାଷୀ ଓ ମିଲର୍ସଙ୍କ ସମ୍ପର୍କ ସହିତ ସରକାରଙ୍କ ସହଯୋଗ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ଅରୋମାର ସଭାପତି ମହେଶ କୁମାର ବଂଶଲ ମିଲର୍ସମାନଙ୍କର ଆବଶ୍ୟକତା ଓ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲାବେଳେ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ ଦରବୃଦ୍ଧି ଓ ସବ୍‌ସିଡି ଓ ସରକାରୀ ସୁବିଧା ଆଦି ସମ୍ପର୍କରେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି ବିଭିନ୍ନ ବିଷୟ ଉପରେ ସ୍ବତନ୍ତ୍ର ଆଲୋଚନା ଓ ଅଧିବେଶନ ଆୟୋଜନ କରାଯାଇଥିଲା।

Share