Categories: ଜାତୀୟ

ଓଡ଼ିଶାରେ ମୋବାଇଲ ଗେମର ସଂଖ୍ୟାରେ ସର୍ବାଧିକ ବୃ୍‌ଦ୍ଧି

ନୂଆଦିଲ୍ଲୀ,୧୬।୧ : ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧,୬୫୨ ପ୍ରତିଶତ ବଢ଼ିଥିବା ଇଣ୍ଡିଆ ମୋବାଇଲ ଗେମିଂ ରିପୋର୍ଟ (ଆଇଏମ୍‌ଜିଆର୍‌) ୨୦୨୨ରେ କୁହାଯାଇଛି।

ଗେମିଂ ପ୍ଲାଟ୍‌ଫର୍ମ ମୋବାଇଲ ପ୍ରିମିୟର ଲିଗ୍‌ ପକ୍ଷରୁ ରବିବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶା ପଛକୁ ପଞ୍ଜାବ, ତାମିଲନାଡୁ, ପଣ୍ଡିଚେରୀ ଏବଂ ହିମାଚଳପ୍ରଦେଶରେ ମୋବାଇଲ ଗେମରଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଚାଲିଛି। ଗେମରଙ୍କ ପାଇଁ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ଥିବାବେଳେ ଏହା ପଛକୁ ମହାରାଷ୍ଟ୍ର, ରାଜସ୍ଥାନ, ବିହାର ଏବଂ ପଶ୍ଚିମବଙ୍ଗ ରହିଛି। ମୋବଇଲରେ ସବୁଠୁ ଲୋକପ୍ରିୟ ଖେଳ ମଧ୍ୟରେ ରହିଛି ଲୁଡୁ ଡାଇସ୍‌, ସାପ ଶିଡ଼ି, କ୍ୟାରମ୍‌, ଫ୍ରୁଟ୍‌ ଡାର୍ଟ, ବ୍ଲକ୍‌ ପଜଲ ଏବଂ ପୋକର।

ଗତବର୍ଷ ବିଶ୍ୱରେ ମୋବାଇଲ ଗେମ୍‌ରେ ଭାରତରେ ସର୍ବାଧିକ ଗ୍ରାହକ ଥିଲେ। ଏହି ଗେମ୍‌କୁ ୧୫ ବିଲିୟନ ଥର ଡାଉନ୍‌ଲୋଡ୍‌ କରାଯାଇଥିଲା। ଗତ ଆର୍ଥତ୍କ ବର୍ଷରେ ଭାରତର ଗେମିଂ ବଜାର କାରବାର ୨.୬ ବିଲିୟନ ଡଲାର ଥିଲା। ବର୍ଷକୁ ଏହା ୨୭ ପ୍ରତିଶତ ବଢ଼ୁଥିବାରୁ ୨୦୨୭ ବେଳକୁ କାରବାର ୮.୬ ବିଲିୟନ ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି।

Share