ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ବିଦ୍ୟୁତ୍ ଆଘାତରେ ଓଡିଶାରେ ସର୍ବାଧିକ ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୯ ମଧ୍ୟରେ ବିଦ୍ୟୁତ୍ ଆଘାତ ଯୋଗୁ ଭାରତରେ ୬୦୦ ହାତୀଙ୍କ ଜୀବନ ଯାଇଥିବାବେଳେ ଏଥିମଧ୍ୟରୁ ଓଡ଼ିଶାର ୧୧୭ ହାତୀ ରହିଛନ୍ତି। ୧୧୬ ହାତୀ ମୃତ୍ୟୁ ସହ କର୍ନାଟକ ଓଡ଼ିଶା ତଳକୁ ରହିଥିବାବେଳେ ତୃତୀୟ ସ୍ଥାନରେ ଥିବା ଆସାମରେ ୧୦୫ ହାତୀର ମୃତ୍ୟୁ ଘଟିଛି। ତେବେ ଏହି ୧୦ ବର୍ଷ ମଧ୍ୟରେ ତିନୋଟି ରାଜ୍ୟରେ ଆଦୌ ବିଦ୍ୟୁତ୍ଜନିତ ହାତୀ ମୃତ୍ୟୁ ହୋଇନାହିଁ। ସେହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା।
ଏ ନେଇ ପୂର୍ବତନ ପିସିସିଏଫ୍ ବି. କେ. ସିଂ କହିଛନ୍ତି, ଏହି ହାତୀ ମୃତ୍ୟୁ ମଧ୍ୟରୁ ୭୫% ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟସଭାକୁ ସୂଚନା ଦେଇ କହିଛନ୍ତି, ହାତୀ ସୁରକ୍ଷା ପାଇଁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ହାତୀ ରହୁଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ତଥା ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ତେବେ ହାତୀ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶାର ଏପରି ସ୍ଥିତିକୁ ନେଇ ବିଶେଷଜ୍ଞ, ହାତୀ ସୁରକ୍ଷା ପାଇଁ କାମ କୁରୁଥିବା ସଙ୍ଗଠନ ଓ ସାମାଜିକ କର୍ମୀ ଉଦ୍ବେଗ ପ୍ରକାଶ କରିଛନ୍ତି।