ଜୁନ୍‌ରେ ଉତ୍ତପ୍ତ ଓଡ଼ିଶା: ସ୍ବାଭାବିକଠାରୁ ଅଧିକ ତାତି

ଭୁବନେଶ୍ୱର,୧ା୭ (ଅନିଲ ଦାସ): ଜୁନ୍‌ ମାସରେ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବାକୁ ପଡିଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୪ ଦିନ ହିଟ୍‌ଓ୍ବେଭ ବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଏ ନେଇ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏଥିଯୋଗୁ ରାଜ୍ୟବାସୀଙ୍କୁ କଲବଲ ହେବାକୁ ପଡ଼ିଛି। ରାଜ୍ୟରେ ଜୁନ୍‌ ମାସରେ ସ୍ବାଭାବିକ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରୀ ସେଲ୍‌ସିୟସ ଯାଏ ବୃଦ୍ଧି ହେବା ସହିତ ଆର୍ଦ୍ରତା ପରିମାଣ ପ୍ରାୟ ୮୦ ପ୍ରତିଶତକୁ ଛୁଇଁଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିବା ସହ କେତେକ ସ୍ଥାନରେ ୪୪ରୁ ୪୬ ଡିଗ୍ରୀ ସେଲ୍‌ସିୟସକୁ ମଧ୍ୟ ଛୁଇଁଛି। ତାତି ବଢ଼ିବା ଯୋଗୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଆର୍ଦ୍ରତା ବଢ଼ିବା ଯୋଗୁ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ରେ ଦେଶର ସର୍ବାଧିକ ଉତ୍ତପ୍ତ ୮ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଜୁନ୍‌ ମାସରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଦିନ ହିଟ୍‌ଓ୍ବେଭ ବା ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବ ଭାରତରେ ସ୍ବାଭାବିକଠାରୁ ଅଧିକ ଉତ୍ତପ୍ତ ବାୟୁ ପ୍ରବାହିତ ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ବହୁ ମାତ୍ରାରେ ବଢ଼ିଯାଇଛି। ଜୁନ୍‌ ମାସରେ ବିହାରରେ ୧୯ ଦିନ ହିଟ୍‌ଓ୍ବେଭ ପ୍ରବାହିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ୧୭, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶରେ ୧୪ ଦିନ ହିଟ୍‌ଓ୍ବେଭ ପ୍ରବାହିତ ହୋଇଛି । ଏଥିସହିତ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ତେଲଙ୍ଗାନାରେ ମଧ୍ୟ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଛି।

Share