Categories: ରାଜ୍ୟ

ହାଇକୋର୍ଟଙ୍କ ଗୁରୁତ଼୍ବପୂର୍ଣ୍ଣ ରାୟ, ଏଥର ମିଳିବ ୬ମାସ ଛୁଟି

ଭୁବନେଶ଼୍ବର, ୦୬।୦୭: ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃକାଳୀନ ଛୁଟିକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସରୋଗେସି ପଦ୍ଧତିରେ ମାଆ ହେଉଥିବା ମହିଳା କର୍ମଚାରୀ ମାତୃକାଳୀନ ଛୁଟି ନେବାକୁ ହକ୍‌ଦାର । ଏହି ନିୟମ କେବଳ ମହିଳାଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ନବଜାତ ଶିଶୁର ସ଼୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟାବଶ୍ୟକ । ଜଣେ ମହିଳା କର୍ମଚାରୀ ଦାଏର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜିବ୍‌ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

କୋର୍ଟ ଏହି ନିଷ୍ପତ୍ତିରେ କହିଛନ୍ତି ଯେ, ସମ଼୍ବିଧାନର ଆର୍ଟିକିଲ୍‌ ୨୧ ଅନୁସାରେ, ଜୀବନର ଅଧିକାର, ମାଆ ହେବାର ଅଧିକାର ସହିତ ଶିଶୁର ମଧ୍ୟ ସମ୍ପୂର୍ଣ୍ଣ ବିକାଶର ଅଧିକାର ରହିଛି । ଏଥିସହିତ କୋର୍ଟ ଆହୁରି କହିଛନ୍ତି ଯେ, ସରକାର ସାଧାରଣ ଭାବେ ମାତୃତ଼୍ବ ପାଇଁ ଛୁଟି ଦେଉଥିବା ବେଳେ ସରୋଗେସିରେ ମାଆ ହେଉଥିବା କର୍ମଚାରୀଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଅନୁଚିତ୍‌ ।

ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ଆକାଉଣ୍ଟ ବିଭାଗର ଜଏଣ୍ଟ ଡାରେକ୍ଟର ଥିବା ଜଣେ ମହିଳା କର୍ମଚାରୀ ଏହି ମାମଲା ଦାଏର କରିଥିଲେ । ଉକ୍ତ ମହିଳା କର୍ମଚାରୀ ୨୦ ଅକ୍ଟୋବର ୨୦୧୮ରେ ସରୋଗେସିରେ ମାଆ ହୋଇଥିଲେ । ସେ୨୫ ଅକ୍ଟୋବରରୁ ୨୦୧୮ରୁ ୨୨ ଏପ୍ରିଲ୍‌ ୨୦୧୯ ପର୍ଯ୍ୟନ୍ତ ମାତୃତ଼୍ବକାଳୀନ ଛୁଟି ପାଇଁ ଆବେଦନ କରିଥିଲେ । ହେଲେ ଆକାଉଣ୍ଟସ୍‌ ବିଭାଗ ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ ଲାଗି ସେମିତି ନିୟମ ନାହିଁ ବୋଲି କହି ତାଙ୍କ ଆବେଦନ ଦରଖାସ୍ତ ଫେରାଇ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ଼୍ବାରସ୍ଥ ହୋଇଥିଲେ ।