Categories: ଜାତୀୟ

‘ଓଡ଼ିଶା ହାଇକୋର୍ଟଙ୍କ ଭିତ୍ତିଭୂମି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି’

ନୂଆଦିଲ୍ଲୀ,୨୦ା୧:ରାଜ୍ୟରେ ନୂଆ କୋର୍ଟ ରୁମ୍‌ ନିର୍ମାଣ ଲାଗି ଓଡ଼ିଶା ହାଇକୋର୍ଟ ପଠାଇଥିବା ପ୍ରସ୍ତାବଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଥିବା ଆମିକସ୍‌ କ୍ୟୁରି ବିଜୟ ହଂସାରିଆ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୁପ୍ରିମକୋର୍ଟରେ ନ୍ୟାୟିକ ଭିତ୍ତିଭୂମି ମାମଲାଗୁଡ଼ିକ ପାଇଁ ଆମିକସ୍‌ କ୍ୟୁରି ନିଯୁକ୍ତ ଥିବା ହଂସାରିଆ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି, ଓଡ଼ିଶାରେ ତଳକୋର୍ଟଗୁଡ଼ିକରେ ୧୭୪ ପଦବୀ ଖାଲିପଡ଼ିଛି। ଏଥିସହିତ ରାଜ୍ୟରେ ୧୨୩ କୋର୍ଟରୁମ୍‌ ଏବଂ ନ୍ୟାୟିକ ଅଧିକାରୀମାନଙ୍କ ଲାଗି ୫୦୩ଟି କ୍ୱାର୍ଟର୍ସ ଅଭାବ ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ନୂଆ କୋର୍ଟରୁମ୍‌ ନିର୍ମାଣ ଲାଗି ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷରେ ପାଣ୍ଠି ପ୍ରଦାନ କରାଯାଇ ନାହିଁ। କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୨୦୨୨-୨୩ ବର୍ଷ ପାଇଁ ହାଇକୋର୍ଟ ୬୦.୪୦ କୋଟି ଟଙ୍କାର କାର୍ଯ୍ୟଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ଅର୍ଥରୁ କେନ୍ଦ୍ର ଭାଗ ୩୬.୨୪ କୋଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଭାଗ ୨୪.୧୬ କୋଟି ଟଙ୍କା। ଏହି ଅର୍ଥ ଜାନୁୟାରୀ ୧୪ ସୁଦ୍ଧା ମିଳି ନ ଥିବା ସତ୍ୟପାଠରେ ଦର୍ଶାଯାଇଛି। ରାଜ୍ୟ ସେକ୍ଟର ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ମୋଟ ୭୨୨.୪୮୬୮ କୋଟି ଟଙ୍କା ଦାବି କରାଯାଇଛି। ଏହି ଅର୍ଥରେ ତଳକୋର୍ଟଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ।

Share