Categories: ଖେଳ

ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ ଡ୍ର

ଭୁବନେଶ୍ୱର, ୨ ୮।୩(କ୍ରୀଡ଼ା ପ୍ରତିନିଧି): ଫତୋର୍ଦାର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍‌ ୩-୩ ଗୋଲରେ ଡ୍ର ରହିଛି। ମ୍ୟାଚ୍‌ ଆରମ୍ଭରୁ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨ୟ ମିନିଟ୍‌ରେ ମାଳତୀ ମୁଣ୍ଡା ଗୋଟିଏ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିବାବେଳେ ୨୦ତମ ମିନିଟରେ ଯଶୋଦା ମୁଣ୍ଡା ଏକ ଗୋଲସ୍କୋର କରି ଓଡ଼ିଶାର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୨୬ତମ ମିନିଟ୍‌ରେ ହିମାଚଳ ପ୍ରଦେଶ ଅଧିନାୟିକା ରିୟା ଶର୍ମା ଗୋଟିଏ ଗୋଲ ପରିଶୋଧ କରିଥିଲେ। ତେବେ ୩୨ତମ ମିନିଟରେ ସୁମିତ୍ରା ହେମ୍ବ୍ରମ୍‌ ଏକ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଖେଳ ଶେଷବେଳକୁ ଓଡ଼ିଶା ୩-୧ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ କିନ୍ତୁ ବିପରୀତ ଫଳ ମିଳିଥିଲା। ଓଡ଼ିଶା ଖେଳାଳିମାନେ ଭଲ ଖେଳିଥିଲେ ହେଁ ଫିନିଶିଂ କରିପାରି ନ ଥିଲେ। ଅନ୍ୟପକ୍ଷରେ ୫୩ତମ ମିନିଟରେ ପୁନମ୍‌ ହିମାଚଳ ପ୍ରଦେଶ ପକ୍ଷରୁ ଦ୍ୱିତୀୟ ଗୋଲ ପରିଶୋଧ କରିଥିଲେ। ୭୦ତମ ମିନିଟ୍‌ରେ ହିମାଚଳର ଅଞ୍ଜୁ ଗୋଲ ଦେବାରେ ସକ୍ଷମ ହେବାରୁ ମ୍ୟାଚ୍‌ ସମାନସ୍ତରକୁ ଚାଲିଆସିଥିଲା। ଏହାପରେ ଆକ୍ରମଣ ପ୍ରତିଆକ୍ରମଣ ତୀବ୍ରତର ହୋଇଥିଲେ ହେଁ କୌଣସି ଦଳ ଗୋଲସ୍କୋର କରିପାରି ନ ଥିଲେ। ପ୍ରକାଶଯୋଗ୍ୟ, ଗତ ୨୫ ତାରିଖରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚ୍‌ରେ ୮-୦ ଗୋଲରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଥିଲା।

Share