Categories: ଖେଳ

ଅବସର ଘୋଷଣା କଲେ ଓଡ଼ିଶାର ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା

ଭୁବନେଶ୍ୱର, ୨୭।୧(ତପନ ସ୍ବାଇଁ): ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ଶନିବାର ଅବସର ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ହକିରେ ସେ ଜଣେ ଦିଗ୍‌ଗଜ ଡିଫେଣ୍ଡର ଓ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟଭାବେ ପରିଚିତ ଥିଲେ। ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ଲୁଲକିଡିହିରେ ୧୯୯୪ ଜୁନ ୩ରେ ଜନ୍ମଗ୍ରହଣ କରିଥିଲେ ଦୀପ୍‌ଗ୍ରେସ। ତାଙ୍କ ମା’ଙ୍କ ନାମ ଜୟମଣି ଓ ବାପା ଚାର୍ଲେସ ଏକ୍କା।

୧୭ ବର୍ଷ ବୟସରେ ୨୦୧୧ରେ ଦୀପ୍‌ଗ୍ରେସଙ୍କ ଅନ୍ତର୍ଜାତୀୟ ହକି କ୍ୟାରିୟର ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ତାଙ୍କ ଜୀବନର ପ୍ରଥମ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ଥିଲା। ଏହାପରେ ସେ ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ୧୮ ବର୍ଷରୁ କମ୍‌ ଏସିଆ କପ୍‌ ଖେଳିଥିଲେ। ସେଠାରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ପରବର୍ତ୍ତୀ ଜାତୀୟ କ୍ୟାମ୍ପ ଗୁଡ଼ିକରେ ସେ ପ୍ରାୟତଃ ନିୟମିତ ସଦସ୍ୟା ଥିଲେ। ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପରେ ଐତିହାସିକ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଏହି ବର୍ଷ ସେ ଉଭୟ ଜୁନିୟର ଓ ସିନିୟର ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୨୦୧୩ରେ ଅନୁଷ୍ଠିତ ମହିଳା ଏସିଆ କପ୍‌ରେ ବ୍ରୋଞ୍ଜ ଏବଂ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ସିନିୟର ଦଳ ପକ୍ଷରୁ ସେ ଖେଳିଥିଲେ। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଦଳର ସେ ପ୍ରମୁଖ ସଦସ୍ୟା ଥିଲେ।

ରିଓରେ ଭାରତ ସାହସିକ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲା। ସେ ଏସିଆନ ଗେମ୍ସ (୨୦୧୪, ୨୦୧୮, ୨୦୨୨), ରାଜ୍ୟଗୋଷ୍ଠୀ କ୍ରୀଡ଼ା (୨୦୨୨), ଏସିଆ କପ୍‌ (୨୦୧୩, ୨୦୧୭, ୨୦୨୨), ଏସିଆନ ଚାମ୍ପିୟନ୍ସ ଟ୍ରଫି (୨୦୧୩, ୨୦୧୬, ୨୦୧୮, ୨୦୨୨) ଏବଂ ଏଫ୍‌ଆଇଏଚ୍‌ ନେସନ୍ସ କପ୍‌ (୨୦୨୨)ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ପଦକ ହାସଲ କରିଥିଲେ। ରକ୍ଷଣଭାଗରେ ଦୀପ୍‌ ଗ୍ରେସ୍‌ଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ଓଡ଼ିଶାର ସାଇ-ସାଗ୍‌ ସେଣ୍ଟରର ସୃଷ୍ଟି ୨୯ ବର୍ଷୀୟା ଏହି ତାରକା ଡିଫେଣ୍ଡର ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ସଦୃଶ ହୋଇଛନ୍ତି। ହକିପ୍ରତି ଉଲ୍ଲେଖନୀୟ ଅବସାନ ଯୋଗୁ ୨୦୨୨ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ହକି ଇଣ୍ଡିଆ ପକ୍ଷରୁ ଦୀପ୍‌ ଗ୍ରେସ୍‌ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ”ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟଧରି ଦୀପ୍‌ ଗ୍ରେସ୍‌ ଭାରତୀୟ ମହିଳା ହକିରେ ଏକ ପରିଚିତ ନାମ ହୋଇ ଯାଇଥିଲେ। ହକିରେ ତାଙ୍କ ସଫଳତା କେବଳ ଓଡ଼ିଶା ନୁହେଁ ସାରା ଭାରତର ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ସଦୃଶ। ସେ ନିଜ କ୍ୟାରିୟରରେ ସର୍ବଦା ଖେଳୁଆଡ଼ ମନୋଭାବ ଦେଖାଇଛନ୍ତି ଏବଂ ଭାରତୀୟ ହକିକୁ ଶକ୍ତିଶାଳୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।

Share