ମା’ବାପାଙ୍କୁ ହରାଇଥିଲେ, ଚାକିରିରେ ଥାଇ ୟୁପିଏସ୍‌ସି ପ୍ରସ୍ତୁତି; କିଛି ଏଭଳି ଆଇଏଏସ୍‌ ଅନିମେଶଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ୨୦୨୩ ୟୁପିଏସ୍‌ସି ପରୀକ୍ଷାଫଳ ପ୍ରକାଶିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନୁଗୋଳ ଜିଲାର ଅନିମେଶ ପ୍ରଧାନ। ବ୍ୟକ୍ତିଗତ ଜୀବନରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିଲେ ହେଁ ଧୌର୍ଯ୍ୟର ସହ ଲକ୍ଷ୍ୟପଥରେ ବଢ଼ି ସେ ଅନ୍ୟମାନଙ୍କ ପାଇଁ ବଡ଼ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।

ଅନିମେଶଙ୍କ ସଂଘର୍ଷ କାହାଣୀ ବେଶ ଲମ୍ବା। ସେ ଯୁକ୍ତ ଦୁଇ ବିଜ୍ଞାନରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ରାଉରକେଲା ଏନ୍‌ଆଇଟିରୁ ସଫଳତାର ସହିତ ପାସ ଆଉଟ୍‌ ହେଇଛନ୍ତି। ଏପରିକି ସେ ଆଇଓସିଏଲରେ କାର୍ଯ୍ୟରତ ଥାଇ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଛନ୍ତି।

ହିଙ୍ଗୁଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଥିବା ତାଙ୍କର ପିତା ପ୍ରଭାକର ପ୍ରଧାନଙ୍କର ୨୦୧୭ରେ ପରଲୋକ ଘଟିଥିଲା। ଏହାପରେ ଏମ୍‌ସିଏରେ କାର୍ଯ୍ୟରତ ମା ଅରୁଣା ପ୍ରଧାନ ଗତ ଜାନୁଆରୀ ମାସରେ ଆଖି ବୁଜିଛନ୍ତି। ତେବେ ବ୍ୟକ୍ତିଗତ ଜୀବନରେ ଉଭୟ ପିତା ମାତାଙ୍କୁ ହରାଇଥିଲେ ସୁଦ୍ଧା ଜୀବନର ଲକ୍ଷ୍ୟ ପ୍ରତି ଥିବା ତାଙ୍କର ଦୃଢ଼ ସଂକଳ୍ପ ଜିତିଛି।

Share