ଭବାନୀପାଟଣା,୭।୪(ଉତ୍ତମ କୁମାର ଦାଶ): ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ ଟିକେଟ ପାଇ ରାଜନୀତି କରିଚାଲିଛନ୍ତି। କଳାହାଣ୍ଡିରେ ୧୯୫୨ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣତନ୍ତ୍ର ପରିଷଦରୁ ଗିରିଧାରୀ ଭୋଇ ୧୯୫୨ରୁ ୧୯୬୨ ଯାଏ କଳାହାଣ୍ଡି ଏମ୍ପି ରହିଥିଲେ। ୧୯୬୨ରେ ରାଜ ପରିବାର ପ୍ରତାପ କେଶରୀ ଦେଓ ସ୍ବତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ଏମ୍ପି ଭାବେ ବିଜୟୀ ହୋଇଥିଲେ। ସେ ୧୯୬୨ରୁ ୧୯୮୦ ପର୍ପ୍ୟନ୍ତ ରହିଥିଲେ। ପରବର୍ତ୍ତୀ ସମୟରେ ୧୯୮୦-୧୯୮୪ ଯାଏ ରାସ ବିହାରୀ ବେହେରା, ୧୯୮୪-୧୯୮୯ ଜଗନ୍ନାଥ ପଟ୍ଟନାୟକ, ୧୯୮୯-୧୯୯୧ ଭକ୍ତଚରଣ ଦାସ, ୧୯୯୧-୧୯୯୬ ସୁବାସ ନାୟକ, ୧୯୯୬-୧୯୯୮ ଭକ୍ତ ଚରଣ ଦାସ, ୧୯୯୮-୧୯୯୯-୨୦୦୯ ଯାଏ ରାଜ ପରିବାରର ପ୍ରତାପ କେଶରୀ ଦେଓଙ୍କ ପୁଅ ବିକ୍ରମ କେଶରୀ ଦେଓ, ୨୦୦୯-୨୦୧୪ ଭକ୍ତଚରଣ ଦାସ, ୨୦୧୪-୨୦୧୯ ରାଜ ପରିବାର ସଦସ୍ୟ ବିକ୍ରମ କେଶରୀଙ୍କ ପୁଅ ଅର୍କ କେଶରୀ ଦେଓ ଏବଂ ୨୦୧୯-୨୦୨୪ ବସନ୍ତ ପଣ୍ଡା ରହିଛନ୍ତି। କଳାହାଣ୍ଡି ଜିଲା ଇତିମଧ୍ୟରେ ୧୭ଟି ନିର୍ବାଚନ ସାମ୍ନା କରିସାରିଲାଣି। ଏହି ସବୁ ନିର୍ବାଚନରେ ୧୧ଜଣ ଏମ୍ପି ନିର୍ବାଚିତ କରିଛନ୍ତି। ତନ୍ମଧ୍ୟରୁ ରାଜପରିବାର ତିନି ଜଣ ସଦସ୍ୟ ବାପ-ପୁଅ-ନାତିଙ୍କ ୩୪ ବର୍ଷ ରାଜୁତି ରହିଛି। ଅନ୍ୟ ୮ଜଣଙ୍କ ପୁଅ ନାତି କିମ୍ବା ପରିବାରରୁ କେହି ନିର୍ବାଚିତ ହୋଇପାରିନାହାନ୍ତି ।
କେବଳ ଲୋକ ସଭା କ୍ଷେତ୍ରରେ ନୁହେଁ ବିଧାନସଭା କ୍ଷେତ୍ରରେ ମଧ୍ୟ ଏହି ପରିବାରର ଦୀର୍ଘ ଦିନର ରାଜୁତି ରହିଛି। ଜୁନାଗଡ଼ ବିଧାନସଭା ଆସନରେ ୧୯୫୧-୧୯୬୧ ଯାଏ ଗଣତନ୍ତ୍ର ପରିଷଦରୁ ପ୍ରତାପ କେଶରୀ ଦେଓ ବିଧାୟକ ହୋଇଥିଲେ। ସେହିପରି ୧୯୭୪ରେ ତାଙ୍କ ବଡ଼ ପୁଅ ଉଦିତ ପ୍ରତାପ ଦେଓ ସ୍ବତନ୍ତ୍ର ପାର୍ଟିରୁ ଏହି ଆସନରେ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୫-୨୦୦୦ ପର୍ଯ୍ୟନ୍ତ ୩ଟି ନିର୍ବାଚନ ପ୍ରତାପ କେଶରୀ ଦେଓଙ୍କ ସାନପୁଅ ବିକ୍ରମ କେଶରୀ ଦେଓ ବିଧାୟକ ହୋଇଥିଲେ। ରାଜ ପରିବାରର ଅନ୍ୟଜଣେ ସଦସ୍ୟ ପଟ୍ଟାୟତ ବୀର କିଶୋର ଦେଓ ମଧ୍ୟ ବିଧାୟକ ହୋଇଛନ୍ତି। କେବଳ କଳାହାଣ୍ଡି ରାଜପରିବାର ନୁହେଁ ଜୟପାଟଣା ସିଂ ଦେଓ (ଜମିଦାର) ପରିବାର ମଧ୍ୟ ପିଢ଼ି ପରେ ପିଢ଼ି ରାଜନୈତିକ କ୍ଷେତ୍ରରେ ଜାହିର କରିଛନ୍ତି। ୧୯୭୨-୧୯୭୭ରେ ତତ୍କାଳୀନ କୋକସରା ବିଧାନସଭା କ୍ଷେତ୍ରରେ ଏହି ପରିବାରର ଚନ୍ଦ୍ରଭାନୁ ସିଂଦେଓ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫-୨୦୦୫ ଯାଏ ତାଙ୍କ ପତ୍ନୀ ରୋଶନୀ ସିଂଦେଓ ଏବଂ ୨୦୦୫-୨୦୧୯ ଯାଏଁ ତାଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ ବିଧାୟକ ହୋଇଥିଲେ। କଳାହାଣ୍ଡି ରାଜନୀତି ସହ ଓତପ୍ରୋତ ଜଡ଼ିତ ଥିବା ଓ କଳାହାଣ୍ଡି ରାଜନୀତିକୁ ପାଖରୁ ଦେଖିଥିବା ଅନେକ ଅଭିଜ୍ଞ ନେତା ଲୋକ ସଭା, ବିଧାନସଭା କ୍ଷେତ୍ରରେ ବାରମ୍ବାର ନିର୍ବାଚିତ ହୋଇଛନ୍ତି।
ଭୂପିନ୍ଦର ସିଂ, ରାସ ବିହାରୀ ବେହେରା, କିରଣ ସିଂ, ବୀର ସିପକା, ଜଗନ୍ନାଥ ପଟ୍ଟନାୟକ, ମହେଶ୍ୱର ବରାଡ଼, ମହେଶ୍ୱର ନାଏକ, ତ୍ରିନାଥ ସରାଫ, ଗୋବର୍ଦ୍ଧନ ଦାସ, ଧନେଶର ମାଝି ପ୍ରମୁଖ ଅନେକ ବର୍ଷୀୟାନ ନେତା ବାରମ୍ବାର ନିର୍ବାଚିତ ହୋଇଛନ୍ତି। କିନ୍ତୁ ତାଙ୍କ ପୁଅ କିମ୍ବା ତାଙ୍କ ପରିବାରର ଆଉ କାହାର ରାଜନୈତିକ ଭବିଷ୍ୟତ ନିର୍ମାଣ କରିପାରିନାହାନ୍ତି। ଅବଶ୍ୟ ଏ କ୍ଷେତ୍ରରେ ଭକ୍ତ ଦାସ ଏକ ବ୍ୟତିକ୍ରମ। ଭକ୍ତଙ୍କ ବଡ଼ଭାଇ ଅଜିତ ଦାସ ୧୯୯୦ରେ ଜନତା ଦଳରୁ ଭବାନୀପାଟଣା ଆସନରୁ ବିଧାୟକ ହୋଇଥିଲେ। ଏବେ ଭକ୍ତ ତାଙ୍କ ପୁଅ ସାଗର ଦାସଙ୍କ ରାଜନୈତିକ ଭବିଷ୍ୟତ ପାଇଁ ସଂଘର୍ଷ କରୁଛନ୍ତି। ଅବଶ୍ୟ କିଛି ନେତା ତାଙ୍କ ପୁଅ, ବୋହୂ, ସ୍ତ୍ରୀଙ୍କୁ ପଞ୍ଚାୟତ ରାଜନୀତିରେ ପ୍ରତିଷ୍ଠିତ କରିପାରିଛନ୍ତି। କିନ୍ତୁ ବିଧାୟକ କିମ୍ବା ଏମପି କରିପାରିନାହାନ୍ତି।
ନିର୍ବାଚନରେ ମଧ୍ୟ କଳାହାଣ୍ଡିରେ ଏହି ପରିବାରବାଦ ଦେଖିବାକୁ ମିଳିଛି। ପୂର୍ବତନ ଏମ୍ପି ଅର୍କକେଶରୀ ଦେଓଙ୍କ ସ୍ତ୍ରୀ ରାଜ ପରିବାରର ବୋହୂ ମାଲବିକା କେଶରୀ ଦେଓଙ୍କୁ ଭାଜପା କଳାହାଣ୍ଡି ଲୋକ ସଭା ଆସନ ପାଇଁ ଟିକେଟ ଦେଇଛି। କଂଗ୍ରେସ ନର୍ଲାରେ ବିଧାୟକ ପ୍ରାର୍ଥି ଭାବେ ଭକ୍ତଚରଣ ଦାସ ଓ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ତାଙ୍କପୁଅ ସାଗରଙ୍କୁ ପ୍ରାର୍ଥୀ କରିଛି। ସେହିପରି ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଲଳିତା ନାଏକ ଭବାନୀପାଟଣା ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥିନୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏହାସହ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର୍ ମେହେରଙ୍କ ଭାଇ ମନୋଜ ମେହେର ମଧ୍ୟ ଗତଥର ଭଳି ଏଥର ଭାଜପା ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଜୁନାଗଡ଼ ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ପରିବାରବାଦ ରାଜନୀତି ଯୋଗୁ ବର୍ଷବର୍ଷ ଧରି ଦଳୀୟ ସଙ୍ଗଠନ କରୁଥିବା ଅନ୍ୟ ନେତାଙ୍କୁ ଏମପି ଓ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳୁନାହିଁ।