ଡ. ଜ୍ଞାନରଞ୍ଜନ ପଣ୍ଡା
କୌଣସି ରାଷ୍ଟ୍ର ଆର୍ଥିକ ଓ ସାମରିକ ଭାବେ ଶ୍ରେଷ୍ଠ ସେତେବେଳେ ହୁଏ, ଯେତେବେଳେ ସେହି ରାଷ୍ଟ୍ରର ବୈଷୟିକ ଜ୍ଞାନ ବିଶେଷ ଭାବେ ସମୃଦ୍ଧ ହୋଇଥାଏ। ବୈଷୟିକ ଜ୍ଞାନର ବିକାଶ ସହିତ ଅତି ଉନ୍ନତ ଜ୍ଞାନକୌଶଳ ହାସଲ କରିବା ପାଇଁ ବିଶ୍ୱବିଦ୍ୟାଳୟ କିମ୍ବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ମୌଳିକ ବିଜ୍ଞାନ ଓ ଗବେଷଣାକୁ ପ୍ରାଥମିକତା ଦେବାରେ ଆବଶ୍ୟକତା ରହିଛି। ଗବେଷଣା ଓ ନୂତନ ଉଦ୍ଭାବନ ବିନା ଶିକ୍ଷାର ବିକାଶ ହୋଇଛି ବୋଲି କୁହାଯାଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତର କିଛି ପୁରୁଣା ଆଇଆଇଟି, ଆଇଆଇଏସ୍ସି ବାଙ୍ଗାଲୋର, ଆଇଜର, ନାଇଜର, ଜେଏନ୍ୟୁ, ବିଏଚ୍ୟୁ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ ସମେତ କିଛି ଘରୋଇ ବିଶ୍ୱବିଦ୍ୟାଳୟକୁ ବାଦ୍ଦେଲେ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ରେ ଆସିପାରି ନ ଥାନ୍ତି। ଅଧୁନା ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ(୨୩୫ଟି କେନ୍ଦ୍ର ସରକାରଙ୍କ, ୪୨୨ ରାଜ୍ୟ ସରକାରଙ୍କ, ୪୪୬ ବେସରକାରୀ ଅଣଅନୁଦାନପ୍ରାପ୍ତ, ୨୦ ବେସରକାରୀ ସରକାରୀ ଅନୁଦାନପ୍ରାପ୍ତ) ମଧ୍ୟରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କିଛି ଶିକ୍ଷା ସଂସ୍ଥାକୁ ବାଦ୍ଦେଲେ ସରକାରୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣାର ମାନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ନ୍ୟାଶନାଲ୍ ର଼୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍-୨୦୨୩) ଏବେ ପ୍ରକାଶପାଇଛି। ୧୩ଗୋଟି ବର୍ଗ (ସାମଗ୍ରିକ ମାନ୍ୟତା, ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶ୍ରେଷ୍ଠ ମହାବିଦ୍ୟାଳୟ, ଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ, ଶ୍ରେଷ୍ଠ ଇଞ୍ଜିନିୟରିଂ, ଶ୍ରେଷ୍ଠ ମେଡିକାଲ, ଡେଣ୍ଟାଲ୍, ଫାର୍ମା, ମ୍ୟାନେଜ୍ମେଣ୍ଟ, ଆଇନ, କୃଷି ଶିକ୍ଷାନୁଷ୍ଠାନ, ଆର୍କିଟେକ୍ଚର ଓ ପ୍ଲାନିଂ, ନୂତନ ଉଦ୍ଭାବନା)ନେଇ କରାଯାଇଥିବା ର଼୍ୟାଙ୍କିଙ୍ଗ୍ରେ ଓଡ଼ିଶାର ଦୁଇଗୋଟି ଘରୋଇ ବିଶ୍ୱବିଦ୍ୟାଳୟ (ସୋଆ ଓ କିଟ୍) ଆଶାନୁରୂପକ ସଫଳତା ହାସଲ କରିଛନ୍ତି। ୧୩ଟି ବର୍ଗରୁ କେବଳ ଶ୍ରେଷ୍ଠ କୃଷି ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୨୨ତମ ସ୍ଥାନ ହାସଲ କରିବା ଏକ ଆଶ୍ୱାସନାର ବିଷୟ।
ସାମଗ୍ରିକ ମାନ୍ୟତାରେ ସୋଆ ୨୬ତମ ସ୍ଥାନ, କିଟ୍ ୨୯ତମ, ଏନ୍ଆଇଟି ରାଉର୍କେଲା ୩୭ତମ, ଆଇଆଇଟି ୯୧ତମ ସ୍ଥାନ ହାସଲ କରିଛନ୍ତି। ସେହିଭଳି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ସରକାରଙ୍କ ଅଧୀନରେ ଥିବା ଯାଦବପୁର ବିଶ୍ୱବିଦ୍ୟାଳୟ ୧୩ତମ ଓ କଲିକତା ବିଶ୍ୱବିଦ୍ୟାଳୟ ୨୧ତମ ସ୍ଥାନ ହାସଲ କରିଛନ୍ତି। ସେହିପରି ଆନ୍ଧ୍ର ବିଶ୍ୱବିଦ୍ୟାଳୟ ୭୬ତମ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଗତବର୍ଷ ୮୮ତମ ସ୍ଥାନରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ୯୩ତମ ସ୍ଥାନ ହାସଲ କରିଥିଲେ ମଧ୍ୟ ଓଡ଼ିଶାର ଅନ୍ୟ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ମଧ୍ୟକୁ ଆସିପାରିନାହିଁ। ପ୍ରଶ୍ନ ଉଠୁଛି, ଯଦି ପଡ଼ୋଶୀ ଦୁଇ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିପାରୁଛନ୍ତି, ତେବେ ଆମ ଶିକ୍ଷାନୁଷ୍ଠାନ କ’ଣ ପାଇଁ କରିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କିଛି ବିଷୟ ଉପରେ ଆଲୋକପାତ କରିବା ।
୧.ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ଣ୍ଣକାଳୀନ ବୈଜ୍ଞାନିକ ଓ ବରିଷ୍ଠ ପ୍ରଫେସରମାନଙ୍କୁ ନିଯୁକ୍ତି ଦେବା ସହିତ ଗବେଷଣା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରୁଥିବାରୁ ସେମାନେ ଭଲ ଗବେଷଣା କରିପାରୁଛନ୍ତି। କିନ୍ତୁ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣକାଳୀନ ଅଧ୍ୟାପକ ପଦବୀ ଖାଲି। ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନର ଚାପ ଯୋଗୁ ଅଧ୍ୟାପକମାନେ ଗବେଷଣା ପାଇଁ ସମୟ ବାହାର କରିପାରୁନାହାନ୍ତି। ସ୍ଥାୟୀ ଅଧ୍ୟାପକ ପଦବୀ ଖାଲି ଯୋଗୁ ଅଧିକାଂଶ ଛାତ୍ର ଗବେଷଣା କରିବା ପାଇଁ ଆସିପାରୁନାହାନ୍ତି। ଓଡ଼ିଶା ବାହାରେ ଅବସ୍ଥିତ ଓଡ଼ିଆ ପ୍ରଫେସର ଓ ବୈଜ୍ଞାନିକ ଯେଉଁମାନେ ତାଙ୍କ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି, ସେମାନଙ୍କୁ ସରକାର ଭିଜିଟିଙ୍ଗ ପ୍ରଫେସର ଭାବେ ନିଯୁକ୍ତି ଦେଇପାରିବେ।
୨.ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଅଟୋନୋମୀ ମିଳିବା ଦରକାର, ଯାହାଫଳରେ ସେମାନଙ୍କର ଶୈକ୍ଷିକ, ଗବେଷଣା ଓ ଭିତ୍ତିଭୂମିର ବିକାଶ ପାଇଁ ସେମାନେ କିଛି ଟାର୍ଗେଟ୍ ପ୍ରସ୍ତୁତ କରି ତାହା ହାସଲ କରିପାରୁଛନ୍ତି କି ନାହିଁ, ତା’ର ନିରନ୍ତର ସମୀକ୍ଷା କରିବା ଉଚିତ।
୩.ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗବେଷଣା ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ସମ୍ବଳ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କ ବୀତସ୍ପୃହତା ମଧ୍ୟ ମୁଖ୍ୟ କାରଣ। GATE and NEET ଭଳି ସର୍ବଭାରତୀୟସ୍ତରରେ ସଫଳତା ହାସଲ କରୁଥିବା ପିଲା IIT, IISER, NITଭଳି ସଂସ୍ଥାକୁ ଗବେଷଣା ପାଇଁ ଚାଲିଯାଉଛନ୍ତି। ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରୀ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବା ପାଇଁ ଦୁଇପ୍ରକାର ଫେଲୋଶିପର ବ୍ୟବସ୍ଥା ରହିଅଛି। NETLS / GATE ରେ ସଫଳତା ପାଇଥିବା ଛାତ୍ରଙ୍କ ପାଇଁ ଏକପ୍ରକାର ଓ ନନ୍ ନିଟ୍ ଛାତ୍ରଙ୍କ ଲାଗି ଆଉ ଏକପ୍ରକାର। ଓଡ଼ିଶା ସରକାର OURIP ସ୍କିମ୍ରେ ମାତ୍ର NETLS ଯୋଗ୍ୟ ଛାତ୍ରଙ୍କ ପାଇଁ ମାତ୍ର ୧୭୫ଟି ଷ୍ଟେଟ ଜୁନିୟର ରିସର୍ଚ୍ଚ ଫେଲୋଶିପ ପ୍ରଦାନ କରୁଥିବାରୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି ମନେହୁଏ।
୪.ସେହିପରି ଯୁବ ଅଧ୍ୟାପକମାନଙ୍କ ଗବେଷଣା ପାଇଁ ମାତ୍ର ୫,୦୦,୦୦୦ ପର୍ଯ୍ୟନ୍ତ ସିଡ ଗ୍ରାଣ୍ଟ ଦୁଇ ବର୍ଷ ଲାଗି ପ୍ରଦାନ କରୁଛନ୍ତି। ଏହା ବହୁତ କମ୍ ଅଧ୍ୟାପକଙ୍କୁ ମିଳୁଥିବାରୁ ଯୁବ ଅଧ୍ୟାପକମାନେ ଗବେଷଣା ପାଇଁ ସୁଯୋଗ ପାଇପାରନ୍ତି ନାହିଁ।
୫.ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ପାରସ୍ପରିକ ସମନ୍ବୟର ଅଭାବ ଲକ୍ଷ୍ୟ କରାଯାଏ। ଯେମିତି ଓୟୁଏଟିରେ ପ୍ରାଣୀ ସ୍ବାସ୍ଥ୍ୟ ଉପରେ ଗବେଷଣା ହେଉଥିବା ବେଳେ ନବଗଠିତ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ମାନବ ସ୍ବାସ୍ଥ୍ୟ ଉପରେ ଧ୍ୟାନକେନ୍ଦ୍ରିତ କରେ। ରାଜ୍ୟ ସରକାର କେମିତି ବିଶ୍ୱବିଦ୍ୟାଳୟମାନଙ୍କ ଭିତରେ ସମନ୍ବୟ ରକ୍ଷାକରି ମଲ୍ଟି ଡିସିପ୍ଲିନାରି ଗବେଷଣା ହୋଇପାରିବ ସେଥିପ୍ରତି ଧ୍ୟାନ ଦେବା ଉଚିତ।
୬.ଗବେଷଣା ପାଇଁ ଆବଶ୍ୟକୀୟ ଜର୍ନାଲ ଓ ପୁସ୍ତକର ଆବଶ୍ୟକତା ରହିଛି। ଗୋଟିଏ ବିଶ୍ୱବିଦ୍ୟାଳୟର ପାଠାଗାର ଏ ସମସ୍ତ ଜର୍ନାଲକୁ କିଣିବା ଅସମ୍ଭବ। ତେଣୁ ଓଡ଼ିଶାରେ ଲାଇବ୍ରେରି କନଷ୍ଟ୍ରୋଟିୟମLକରି ଯେପରି ସର୍ବାଧିକ ସଂଖ୍ୟାରେ ନିବନ୍ଧ ମିଳିପାରିବ ସେ ଦିଗରେ ଚେଷ୍ଟା କରିବା ଉଚିତ।
୭.ରାଜ୍ୟ ସରକାର ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏକ ଉନ୍ନତମାନର (ସେଣ୍ଟ୍ରାଲ୍ ରିସର୍ଚ୍ଚ ଫାସିଲିଟି/ ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେନଶନ ଫାସିଲିଟି), ଯେଉଁଠି ଗବେଷଣା କରିବା ପାଇଁ ସମସ୍ତ ପ୍ରକାରର ଇନଷ୍ଟ୍ରୁମେଣ୍ଟ ରହିବ, ତାହା ପ୍ରତି ଉଚିତ ପଦକ୍ଷେପ ନେବା ଦରକାର। ଓଡ଼ିଶାରେ ଥିବା ଜାତୀୟସ୍ତରର ଗବେଷଣା ଅନୁଷ୍ଠାନ ସହିତ ଏମଓୟୁ କରି ଅଧ୍ୟାପକମାନେ ମଧ୍ୟ ଉନ୍ନତମାନର ଗବେଷଣା କାର୍ଯ୍ୟ କରିପାରିବେ।
୮.ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ରୁ ଆୟୋଜନ କରାଯାଉଥିବା ସ୍କଲାର୍ସ କନ୍କ୍ଲେଭ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, ଯାହାଫଳରେ ଗବେଷକମାନେ ସେମାନଙ୍କର ଗବେଷଣାକୁ ସମସ୍ତଙ୍କ ସାମ୍ନାରେ ପ୍ରଦର୍ଶନ କରିପାରିବେ।
୯.ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ପାଇଁ ଏକ ମେଣ୍ଟର ଗ୍ରୁପ୍ ଗଠନ କରାଯାଉ। ଆଲୁମିନି ସେମାନଙ୍କର ସହଯୋଗ ଓ ସାହାଯ୍ୟ ମଧ୍ୟ ନିତାନ୍ତ ଆବଶ୍ୟକ ଓ ଏଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହଯୋଗର ହାତ ଦେଖାଇବା ଉଚିତ।
ପରିଶେଷରେ ବିଶ୍ୱବିଦ୍ୟାଳୟରେ ଖାଲିଥିବା ପଦବୀର ପୂରଣ, ଉତ୍ତମ ଗବେଷଣା ପାଇଁ ଭିତ୍ତିଭୂମି ସ୍ଥାପନ, ଅଧ୍ୟାପକମାନଙ୍କର ନିରନ୍ତର ପ୍ରଶିକ୍ଷଣ ବ୍ୟବସ୍ଥା, ଗବେଷଣା ପାଇଁ ପାଇଁ ଉପଯୁକ୍ତ ପଦକ୍ଷେପ ଓ ପ୍ରାକ୍ତନୀମାନଙ୍କର ସହଯୋଗ ଆବଶ୍ୟକ।
ଅଧ୍ୟାପକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ
କଟକ, ମୋ-୭୮୯୦୫୬୧୭୯୮