Categories: ଖେଳ

ମହିଳା ଫୁଟ୍‌ବଲ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୪।୧୧(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟ୍‌ବଲ ଦଳର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଓଡ଼ିଶା ପେନାଲ୍ଟି ଶୁଟ୍‌ ଆଉଟ ୫-୪ ଗୋଲରେ ବେଙ୍ଗଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଓଡ଼ିଶା ଓ ମଣିପୁର ମଧ୍ୟରେ ଫାଇନାଲ ୫ ତାରିଖରେ ଅନୁଷ୍ଠିତ ହେବ। ମ୍ୟାଚ ଆରମ୍ଭରୁ କଡ଼ା ଟକ୍କର ହୋଇଥିଲା। ଗୋଲ ଦେଇ ଅଗ୍ରଣୀ ନେବାକୁ ଉଭୟ ଦଳ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣକୁ ଜୋରଦାର କରାଯାଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧ ମ୍ୟାଚ ସ୍ବାଭାବିକ ଭାବେ ରୋମାଞ୍ଚକ ହୋଇଥିଲା। ମାତ୍ର ନିର୍ଦ୍ଧାରତ ସମୟରେ ମ୍ୟାଚ ଗୋଲଶୂନ୍ୟ ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଓଡ଼ିଶାକୁ ଭାଗ୍ୟଦେବୀ ସହାୟ ହୋଇଥିଲେ ଏବଂ ଦଳ ୫-୪ ଗୋଲରେ ବିଜୟୀ ହୋଇଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ଜବାମଣି ଟୁଡୁ, ଅଧିନାୟିକା ସୁପ୍ରିୟା ରାଉତରାୟ, ପ୍ୟାରୀ ଖାଖା, ଗ୍ରେସ୍‌ ଲାଲରାମପରି ହୌହନର ଓ ଏସ୍‌. ଲିଣ୍ଡା କୋମ୍‌ ଗୋଲ ସ୍କୋର କରିଥିଲେ। ବେଙ୍ଗଲ ପକ୍ଷରୁ ସୁମିତ୍ରା ମାରାଣ୍ଡି, ଅଧିନାୟିକା ରନତ୍ା ହାଲଦାର, ଏନ୍‌ଗଙ୍ଗୋମ୍‌ ଆନିବାଲା ଦେବୀ ଓ ସୁଲଞ୍ଜନା ରାଉଳ ଗୋଲ ଦେବାରେ ସକ୍ଷମ ହୋଇଥିଲେ। କ୍ରିସ୍‌ପିନ୍‌ ଛେତ୍ରୀ ଓଡ଼ିଶା ଦଳର କୋଚ୍‌ ଓ ଗୋମତି ବାରା ମ୍ୟାନେଜର ଅଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟବଲ ତାରକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ମେଣ୍ଟର ଏବଂ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଗୋଆରେ ପହଞ୍ଚତ୍ବା ପରେ ଖେଳାଳିଙ୍କୁ ତାଙ୍କ ପରାମର୍ଶ ଦଳ ପାଇଁ ବେଶ୍‌ ଉପାଦେୟ ହୋଇଥିବା ଜଣାପଡ଼ିଛି।

 

Share