ଭୁବନେଶ୍ବର,୧୭ା୧୦(ବ୍ୟୁରୋ): ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋମବାର ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଯୋଗଦେବାକୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ବୈଦ୍ୟୁତିକ ଏବଂ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍କାର ରାୟ ଏହି ସମ୍ମିଳନୀରେ ଯୋଗଦେବେ।
ନିବେଶକ ସମ୍ମିଳନୀ ପୂର୍ବରୁ ମୁଖ୍ୟ ଶାସନ ସଚିବ ରବିବାର ୧୩ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ, ଅକ୍ଷୟ ଶକ୍ତି, ସ୍ବାସ୍ଥ୍ୟସେବା, ବୟନ, ପ୍ଲାଷ୍ଟିକ୍ ଆଦି କ୍ଷେତ୍ରର କମ୍ପାନୀଗୁଡ଼ିକ ସହ ମୁଖ୍ୟ ସଚିବ ଆଲୋଚନା କରିବା ସହିତ ନଭେମ୍ବର ୩୦ରୁ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ରେ ଭାଗନେବାକୁ ନିମନ୍ତ୍ରଣ କରିଛନ୍ତି। ବିଞ୍ଜ୍ରାରାଜକା ଭାଲ୍ୟୁ ପ୍ରଡକ୍ଟ, ଜେମିନି ଅଏଲ୍ସ ଆଣ୍ଡ ଫ୍ୟାଟ୍ସ, ସୁଧାକର ପାଇପ୍ସ, ଏସକେ ଫାବ୍ରିକେଶନ, ଲକ୍ଷ୍ମୀ ସ୍ପିନିଂ ମିଲ୍ସ ଏବଂ ଗ୍ରୀନକୋ ଏନର୍ଜୀ ଭଳି ଅଗ୍ରଣୀ କମ୍ପାନୀ ଏହି ବୈଠକରେ ଭାଗ ନେଇଛନ୍ତି। ଏଥିରେ ଯୋଗ ଦେଇଥିବା ବିଭିନ୍ନ କମ୍ପାନୀର ସିଇଓ ଏବଂ ଉଚ୍ଚ ଅଧିକାରୀ ସ୍ଥିର ପ୍ରଶାସନ, ବ୍ୟବସାୟ ପାଇଁ ଶାନ୍ତିପୂର୍ଣ୍ଣ ବାତାବରଣ, ଦକ୍ଷ ପ୍ରଶାସନିକ କଳ ନେଇ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି, ନିବେଶ ପାଇଁ ଓଡ଼ିଶା ହେଉଛି ଏକ ଉତ୍ତମ ସ୍ଥାନ। ସୋମବାର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ୩୭ କମ୍ପାନୀ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବେ। ଏହି ସମ୍ମିଳନୀରେ ଯୋଗଦେବାକୁ ୩୦୦ରୁ ଅଧିକ ଶିଳ୍ପପତି, ନିବେଶକ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।