ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡ଼ିଶା ଲଜ୍ଜିତ: ବିଜେଡି

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ଭଳି ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଆପଣ ଯେଭଳି କାର୍ଯ୍ୟ କଲେ ଦେଖି ଅନେକେ ଆଶ୍ଚର୍ଯ୍ୟ ହେଲେ। ସେଥିପାଇଁ ଲଜ୍ଜା ଅନୁଭବ କଲେ ନାହଁ କି ଓଡ଼ିଶାର ଲୋକମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କଲେ ନାହଁ। ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରୁଥିବା ଅନେକ କୋଟି ଓଡ଼ିଶାବାସୀ ଏଥିପାଇଁ ଲଜ୍ଜିତ ଅନୁଭବ କଲେ। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ମଙ୍ଗଳବାର ଟୁଇଟ୍‌ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏଭଳି କଡ଼ା ଜବାବ ଦେଇଛନ୍ତି। ଏକାଧିକ ଟୁଇଟ୍‌ ଜରିଆରେ ଶ୍ରୀମୟୀ କହିଛନ୍ତି, ଯେତେବେଳେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଥିବା ଗରିବ ନିରୀହ ଅନୁସୂଚିତ ଜାତିର ଲୋକଙ୍କ ଜମି ଜବରଦଖଲ କଲେ ସେତେବେଳେ ଆପଣ ମୁହଁ ଖୋଲିଲେ ନାହିଁ। ଯେତେବେଳେ ଭାଜପା ନେତା ଜୟନାରାୟଣ ମିଶ୍ର ଏବଂ ଇରାଶିଷ ଆଚାର୍ଯ୍ୟ ମହିଳାଙ୍କୁ ଆକ୍ରମଣ କରି ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆପଣ ଲଜ୍ଜିତ ଅନୁଭବ କଲେନାହିଁ। ସେମାନଙ୍କ ଆଚରଣ ଏବଂ ଆପଣଙ୍କ ନୀରବତା କାରଣରୁ ଓଡ଼ିଶା ଲଜ୍ଜିତ ହେଲା।
ସେତେବେଳେ ଲୋକମାନେ ଖୁସି ହୁଅନ୍ତି ଯେତେବେଳେ ସେମାନଙ୍କ କାର୍ଯ୍ୟ ତୁରନ୍ତ କରାଯାଏ, ସେଭଳି କାର୍ଯ୍ୟକୁ ସମର୍ଥନ କରିବା ପରିବର୍ତ୍ତେ ଈର୍ଷାପରାୟଣ ହୋଇ ଏହାକୁ ବିରୋଧ କରାଯାଉଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ଦୁଆର ମୁହଁରେ ଶାସନକୁ ପହଞ୍ଚାଉଛନ୍ତି, ସେତେବେଳେ ଆପଣ ଅସନ୍ତୁଷ୍ଟ ହେଉଛନ୍ତି। ଆପଣ ଭାବିପାରୁ ନାହାନ୍ତି ଯେ ଶାସନ ଏତେ ପରିବର୍ତ୍ତନଶୀଳ ଏବଂ ଲୋକାଭିମୁଖୀ ହୋଇପାରେ। ଆପଣ ଚାହୁଁଛନ୍ତି ମନ୍ଦିର, ପୂଜାସ୍ଥଳୀ, କଲେଜ ଏବଂ ହାଇସ୍କୁଲଗୁଡିକ ପୂର୍ବଭଳି ଅବସ୍ଥାରେ ରହିଥାଉ। ଯଦି ପ୍ରକୃତରେ ଲଜ୍ଜିତ ଅନୁଭବ କରୁଛନ୍ତି ତେବେ ସରକାରଙ୍କୁ ଲିଖିତ ଆକାରରେ ଦିଅନ୍ତୁ ଯେ ନିଜ ନିର୍ବାଚନମଣ୍ଡଳୀରେ କଲେଜ ଏବଂ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ଚାହୁଁନାହାନ୍ତି। ଯଦି ସତ୍‌ସାହସ ଅଛି ତେବେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଲୋକଙ୍କୁ କୁହନ୍ତୁ, ମୁଁ ଆପଣମାନଙ୍କର ମଙ୍ଗଳ ପାଇଁ ଏହାସବୁ କରିଛି। ଆପଣଙ୍କ ଉତ୍ତରକୁ ମୁଁ ଅପେକ୍ଷା କରିଛି। ଏହା ଆପଣଙ୍କ ପାଇଁ ଏକ ଖୋଲା ଆହ୍ବାନ ବୋଲି ଶ୍ରୀମୟୀ କହିଛନ୍ତି।

Share