ଓଡ଼ିଶାକୁ ଲୁଟୁଛନ୍ତି ଅଣ ଓଡ଼ିଆ ଅଫିସର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ରବିବାର ବିଧାନସଭାର ଶୂନ୍ୟକାଳରେ ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା। ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଜେଡି ଶାସନ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅଣ ଓଡ଼ିଆ ଅଫିସରମାନେ ଓଡ଼ିଶାକୁ ଲୁଟି ନେଇଛନ୍ତି। ପାଠକ ଧରାପଡ଼ିବା ପରେ ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି। ଶାସକ ଦଳର ବହୁ ନେତା, ମନ୍ତ୍ରୀ ମଧ୍ୟ ଏଥିରେ ଜଡିତ ଅଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ଗୃହରେ ଦାବି କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ବୋଲି କହି ବୁଲୁଛନ୍ତି। ହେଲେ ତାଙ୍କ ଶାସନ ସମୟରେ ଏତେ ବଡ଼ ବଡ଼ ଦୁର୍ନୀତି କିଭଳି ହେଉଛି। ଏତେ ଦକ୍ଷ ଭିଜିଲାନ୍ସ, ଇଣ୍ଟେଲିଜେନ୍ସ ଟିମ୍‌ ଥାଇ ଏଭଳି କେମିତି ହେଉଛି। ରାଜ୍ୟରେ ଭିଜିଲାନ୍ସ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ଏଥିରୁ ପ୍ରମାଣିତ ହୋଇଛି। ନଚେତ୍‌ ଘଟଣାକୁ ଦବାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଜଣାପଡ଼ୁଛି ବୋଲି ସେ କହିଥିଲେ। ସେହିଭଳି ଭାଜପାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗକୁ ଟାର୍ଗେଟ କରି ନରସିଂହ କହିଥିଲେ, ସିବିଆଇ ତଦନ୍ତ ନିର୍ଦ୍ଦେଶ କେନ୍ଦ୍ର ସରକାର ଦିଅନ୍ତି। ଏଥିରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାର ପ୍ରଶ୍ନ ମଧ୍ୟ ଉଠୁନାହିଁ। କେନ୍ଦ୍ର ‘ନୋ ଅବ୍‌ଜେକ୍ସନ’ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର ସେଥିରେ କେବଳ ଉତ୍ତର ଦେବେ। ହେଲେ ଭାଜପା ସଦସ୍ୟମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରୁଥିବା ସେ କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ମଧ୍ୟ ଗୃହରେ ପାଠକ ଏବଂ ଜଙ୍ଗଲ ବିଭାଗର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଦୁର୍ନୀତି ଚରମସୀମାରେ ପହଞ୍ଚତ୍ଛି। ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ସରକାରଙ୍କ ପାଖରେ ଅର୍ଥନାହିଁ। ହେଲେ ପାଠକଙ୍କ ଭଳି ଅଫିସର କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିନେଉଛନ୍ତି। ସରକାରୀ ଅଧିକାରୀଙ୍କ ପାଖରେ ହଜାର ହଜାର କୋଟି କେଉଁଠାରୁ ଆସୁଛି। କାମ୍ପା ଫଣ୍ଡ୍‌ ନା ମହାନଦୀ ବନୀକରଣ ପ୍ରକଳ୍ପରୁ ପାଠକ ଏହି ଅର୍ଥ ହରିଲୁଟ୍‌ କରିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

Share