କେନ୍ଦୁଝର,୧୫।୨(ସ୍ବ.ପ୍ର.): ସୋମବାର ତୈଳ ଦର ବୃଦ୍ଧି ପ୍ରତିବାଦ ଓ ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଗାନ୍ଧୀ ଛକ ନିକଟରେ କଂଗ୍ରେସ ଜିଲା ସଭାପତି ବିପ୍ଳବ ମିଶ୍ରଙ୍କ ନେତୃତ୍ୱରେ ଏନ୍ଏଚ୍ ୪୯ ଓ କେନ୍ଦୁଝର ମୁଖ୍ୟ ରାସ୍ତାଜୁ ଅବରୋଧ କରାଯାଇଛି। ଫଳରେ ଯାତାୟାତ ଠପ୍ ହୋଇଯାଇଥିବା ବେଳେ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୁଖ୍ୟ ଫାଟକ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ବହୁ ଅଫିସ, ଶିକ୍ଷାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ଲୁହାପଥର ପରିବହନ ବାଧାପ୍ରାପ୍ତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର, ସଂଗ୍ରାମ ଦାସ, ସୁଢୋଲ ସେଠୀ, ସୁନେଶ ଧୀର, ପୟୋଧର ବେହେରା, ଉତ୍ତମ ସାହୁ, ରତ୍ନାକର ପାତ୍ର ସମେତ ବହୁ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ନେତା ସାମିଲ ଥିଲେ। ସେହିପରି ଜିଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ ଆରମ୍ଭ ହୋଇଛି। ଆନ୍ଦୋଳନମକାରୀମାନେ ରାସ୍ତାରେ ଦଳୀୟ ପତାକା ଧରି ପ୍ରଦର୍ଶନ କରୁଥିବା ବେଳେ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି।