ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁ ରାଜ୍ୟଠାରୁ ଆଗରେ ରହିଛି। ଗୁରୁବାର ବିଧାନସଭାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଭାଜପା ସଭ୍ୟ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୦୦୪-୦୫ରେ ୨୨୧.୬୦ ଲକ୍ଷ ଅର୍ଥାତ୍ ୫୭.୨୦% ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ। ୨୦୧୧-୧୨ରେ ଏହା ୩୨.୨୯%କୁ ହ୍ରାସ ପାଇଥିଲା। ଉକ୍ତ ଆକଳନ ଅନୁଯାୟୀ, ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୨୪.୬୧ ପ୍ରତିଶତ ହ୍ରାସ ପାଇଥିଲା, ଯାହାକି ଦେଶର ସମସ୍ତ ରାଜ୍ୟଠାରୁ ସର୍ବାଧିକ। ନୀତି ଆୟୋଗଙ୍କ ୨୦୨୧ ଦାରିଦ୍ର୍ୟ ମାପଦଣ୍ଡର ହେଡ୍ କାଉଣ୍ଟ ରେସିଓ ଅନୁଯାୟୀ ରାଜ୍ୟର ୨୯.୩୫ ପ୍ରତିଶତ ଲୋକ ବହୁମୁଖୀ ଭାବେ ଦାରିଦ୍ର୍ୟ ବୋଲି ଜଣାପଡ଼ିଛି।
ଦାରିଦ୍ର୍ୟ ହ୍ରାସ କରିବାକୁ ନୀତି ଆୟୋଗର ପୋର୍ଟାଲ ଅନୁଯାୟୀ ଓଡ଼ିଶାରେ ୪୨୧୧ ଏନ୍ଜିଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଜନଜାତିବହୁଳ ଜିଲାଗୁଡ଼ିକର ଉନ୍ନତି ପାଇଁ ବିଜୁ କେବିକେ ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା, ଭିତ୍ତିଭୁମି ଉନ୍ନୟନ ପାଣ୍ଠି ଯୋଜନା ଆଦି ବହୁ ସ୍କିମ୍ କାର୍ଯ୍ୟକାରୀ ହେଉଛି।