Advertisement

କୋଭିଡ୍‌ ଟେଷ୍ଟରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କୋଭିଡ୍‌-୧୯ ଟେଷ୍ଟରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦୈନିକ ପ୍ରତି ନିୟୁତ(୧୦ ଲକ୍ଷ)ରେ ୧୪୦ରୁ ଅଧିକ କରାଯାଉଥିବା ଟେଷ୍ଟ ସୂଚକାଙ୍କରେ ଉକ୍ତ ସ୍ଥାନ ହାସଲ କରିଥିବା ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଦୈନିକ ପ୍ରତି ନିୟୁତ ଜନସଂଖ୍ୟାରେ ଓଡ଼ିଶାରେ ୧୨୬୫ କୋଭିଡ୍‌ ପରୀକ୍ଷା କରି ବଡ ବଡ ରାଜ୍ୟକୁ ପଛରେ ପକାଇ ଦେଇଛି। ଅନ୍ୟପକ୍ଷରେ ଗୋଅ ଦୈନିକ ପ୍ରତି ନିୟୁତ ଜନସଂଖ୍ୟାରେ ୧୮୨୬ ଟେଷ୍ଟ କରି ଦେଶରେ ପ୍ରଥମ ସ୍ଥାନରେ ରହିଛି।
ଓଡ଼ିଶାର କୋଭିଡ୍‌ ପରୀକ୍ଷା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ଜାତୀୟ ସ୍ତରରେ କୋଭିଡ୍‌ ପରୀକ୍ଷା ହାର ୫୮୦ ଥିବା ବେଳେ ଓଡ଼ିଶାର ପରୀକ୍ଷା ହାର ହେଉଛି ୬୮୫ । ବୃହତ୍‌ ରାଜ୍ୟ ମଧ୍ୟପ୍ରଦେଶରେ ପ୍ରତି ନିୟୁତରେ ଦୈନିକ ୨୪୪ ପରୀକ୍ଷା ହେଉଥିବା ବେଳେ ରାଜସ୍ଥାନ ୩୦୯, ପଶ୍ଚିମବଙ୍ଗ ୩୬୫, ବିହାର ୪୦୮, କେରଳ ୫୩୪, ପଞ୍ଜାବ ୫୪୬, ମହାରାଷ୍ଟ୍ରରେ ୫୭୯ ପରୀକ୍ଷା କରାଯାଉଛି; ଯାହାକି ଓଡ଼ିଶାଠାରୁ ଏହି ସବୁ ରାଜ୍ୟରେ ପରୀକ୍ଷା ହାର ବହୁ ପଛରେ ରହିଛି। ଦିଲ୍ଲୀ, କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟ ଭଳି ବିକଶିତ ରାଜ୍ୟ ମଧ୍ୟ ଓଡ଼ିଶାଠାରୁ ପଛରେ ରହିଛନ୍ତି। ଓଡ଼ିଶାରେ ଦୈନିକ ୫୦ ହଜାର କୋଭିଡ୍‌ ପରୀକ୍ଷା କରାଯାଉଛି। ଏଥିଯୋଗୁ ଓଡ଼ିଶା ଅଧିକାଂଶ ରାଜ୍ୟ ପାଇଁ ମଧ୍ୟ ରୋଲ୍‌ମଡେଲ୍‌ ହୋଇପାରିଛି। ଓଡ଼ିଶା ଦେଶର ଅନ୍ୟାନ୍ୟ ଭାଗଠାରୁ ଦ୍ରୁତ ପରୀକ୍ଷା କରିପାରିଛି। ଏହାଦ୍ୱାରା କୋଭିଡ୍‌-୧୯ ଶୀଘ୍ର ଚିହ୍ନଟ କରିବା ସହ ମୃତ୍ୟୁହାର ମଧ୍ୟ ଆହୁରି କମାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share