ମାଛ ଉତ୍ପାଦନରେ ଓଡ଼ିଶା ୪ର୍ଥ ବୃହତ୍ତମ ରାଜ୍ୟ:ଅସିତ୍‌

ଭୁବନେଶ୍ୱର, ୧୩ା୧୦(ସୁନିତ୍‌ ମିଶ୍ର):ଦେଶରେ ମାଛ ଉତ୍ପାଦନରେ ଓଡ଼ିଶା ହେଉଛି ୪ର୍ଥ ବୃହତ୍ତମ ରାଜ୍ୟ। ମାଛ ଯାଆଁଳ ଉତ୍ପାଦନରେ ବର୍ତ୍ତମାନ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିଛି। ବାର୍ଷିକ ୩୧.୫୦% ହାରରେ ମତ୍ସ୍ୟ ଉତ୍ପାଦନରେ ରାଜ୍ୟରେ ଅଭିବୃଦ୍ଧି ଦେଖିବାକୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି। ଏନେଇ ଗୁରୁବାର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସମୀକ୍ଷା ବୈଠକ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଦେଶରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ୭ମ ବୃହତ୍ତମ ରାଜ୍ୟ ହୋଇପାରିଥିବା ବେଳେ ମାଛ ରପ୍ତାନିରେ ଓଡ଼ିଶା ଆଗୁଆ ରହିଛି। ଗତ ୫ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ, ବିକ୍ରୟ ଓ ବିତରଣରେ ଆଖିଦୃଶିଆ ଅଭିବୃଦ୍ଧି ହୋଇପାରିଛି ବୋଲି ଅସିତ ମତବ୍ୟକ୍ତ କରିଛନ୍ତି। ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ। ୧୦୦ କୋଟିର ବ୍ୟୟବରାଦରେ ହୀରାକୁଦ ଜଳଭଣ୍ଡାରରେ ଆକ୍ବା କଲ୍‌ଚର ଫାର୍ମ ନିର୍ମାଣ କରାଯିବା ସହ ସେଠାରେ ମାଛ ଉତ୍ପାଦନ ସ୍ଥାନ, ପ୍ରକ୍ରିୟାକରଣ, ସାଧାରଣ ଭିତ୍ତିଭୂମି, ଆଦି ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଛି। ମଧୁର ଜଳ ମାଛଚାଷକୁ ସମର୍ଥନକରି ରାଜ୍ୟ ସରକାର ଅନେକ ପ୍ରକାର ଯୋଜନା ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ବିଭିନ୍ନ ଜଳାଶୟକୁ ମାଛଚାଷ ପାଇଁ ପ୍ରସ୍ତୁତ କରିବା, ଯାଆଁଳ ଉତ୍ପାଦନ ବୃଦ୍ଧି କରିବା, ମାଛ ଚାଷୀମାନଙ୍କୁ ରିହାତି ଦେବା ଏବଂ ଚାଷୀଙ୍କୁ ମାଛଖାଦ୍ୟ ଯୋଗାଇବାରେ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ମାଛ ଉତ୍ପାଦନ ୭ ଲକ୍ଷ ୬୨ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ଆଗକୁ ଉପକୂଳ ଓଡ଼ିଶାରେ ଲୁଣିଜଳରେ ମାଛଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀଙ୍କୁ ଟ୍ରଲର, ମାଛ ଧରିବା ଜାଲ, ଜେଟି, ମାଛ ବଜାର ସୃଷ୍ଟି କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

Share