ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ବହୁ ସମୟରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବା ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ-୨୦୨୨ରୁ ସ୍ପଷ୍ଟ ହୋଇଛି। ଦେଶବ୍ୟାପୀ ୨୦୨୨ରେ ମୋଟ ୩୭୨ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବାବେଳେ ଓଡ଼ିଶାର ସର୍ବାଧିକ ୮୫ଟି ମାମଲା ରହିଛି।
୫୬ ମାମଲା ସହ ଦ୍ୱିତୀୟରେ କର୍ନାଟକ ଥିବାବେଳେ ତୃତୀୟରେ ବିହାର (୪୮) ରହିଛି। ସେହିପରି ସରକାରୀ ଟଙ୍କା ଆତ୍ମସାତ କରିବା ନେଇ ଓଡ଼ିଶାରେ ୮୪ ମାମଲା ରୁଜୁ ହୋଇଛି। ସରକାରୀ ଟଙ୍କା ଆତ୍ମସାତ୍‌ ତାଲିକାରେ ଓଡ଼ିଶା ତୃତୀୟରେ ରହିଥିବା ବେଳେ ୧୩୫ ମାମଲା ସହ ପଞ୍ଜାବ ପ୍ରଥମ ଓ ୯୦ ମାମଲା ସହ ତାମିଲନାଡ଼ୁ ଦ୍ୱିତୀୟରେ ରହିଛି। ତେବେ ଭିଜିଲାନ୍ସ ମାମଲାରେ ମଧ୍ୟ ଓଡ଼ିଶାରେ ଚାର୍ଜଶିଟ୍‌ ଦାଖଲ ହାର ଆଶାତୀତ ଭଲ ରହିଛି। ୨୦୨୨ରେ ଭିଜିଲାନ୍ସ ମାମଲାରେ ଚାର୍ଜଶିଟ୍‌ ଦାଖଲରେ ମହାରାଷ୍ଟ୍ର (୪୯୭) ପ୍ରଥମରେ ରହିଥିବାବେଳେ ରାଜସ୍ଥାନ (୪୮୪) ଦ୍ୱିତୀୟ ଏବଂ ଓଡ଼ିଶା (୩୨୧) ତୃତୀୟରେ ରହିଛି। ତେବେ ଓଡ଼ିଶାରେ ଚାର୍ଜଶିଟ ହୋଇଥିବା ୩୨୧ ମାମଲାରେ ୫୫୧ ଅଭିଯୁକ୍ତ ରହିଛନ୍ତି। ସେହିପରି ଓଡ଼ିଶାରେ ୯୦ ଭିଜିଲାନ୍ସ ମାମଲାରେ ଦଣ୍ଡାଦେଶ ହୋଇଥିବାବେଳେ ଏଥିରେ ୧୨୪ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଦୁର୍ନୀତିରେ ଲିପ୍ତ ରହୁଥିବା ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ସରକାରଙ୍କ ମଧ୍ୟରୁ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨୦୨୨ରେ ଓଡ଼ିଶା ସରକାର ୩୦ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଏହି ତାଲିକାରେ ଓଡ଼ିଶା ତୃତୀୟରେ ରହିଥିବା ବେଳେ ପ୍ରଥମରେ ତାମିଲନାଡୁ (୫୮) ଓ ଦ୍ୱିତୀୟରେ ରାଜସ୍ଥାନ (୩୧) ରହିଛି। ତେବେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।