କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍‌

ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍‌ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍‌ ସିରିଜ୍‌ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ଅଭିନେତା ସୁକୁମାର ଟୁଡୁ। କେନ୍ଦୁଝର ଜିଲାର ଏକ ଆଦିବାସୀ ପରିବାରରେ ଜନ୍ମିତ ସୁକୁମାର ସ୍କୁଲ ସମୟରୁ ହିଁ ଅଭିନୟ ପ୍ରତି ଟାଣି ହୋଇଯାଇଥିଲେ। ବିଜ୍ଞାନ ଛାତ୍ରଟିଏ ଯେ ଜାତୀୟ ସ୍ତରରେ ଅଭିନୟ କରି ପରିଚୟ ପାଇବ ତାହା ବୋଧେ କେହି କେବେ ଭାବି ନ ଥିଲେ। ପୁଅ ଡାକ୍ତର ହେବ ବୋଲି ମା’ବାପା ଓ ପରିବାର ଲୋକେ ସ୍ବପ୍ନ ଦେଖୁଥିବାବେଳେ ସୁକୁମାରଙ୍କ ଭିତରେ କିନ୍ତୁ ଏକ କଳାକାର ଜନ୍ମ ନେଇସାରିଥିଲା। ଆଉ ସେହି କଳାକାରଙ୍କୁ ଆମେ ଆଜି ଅନେକ ହିଟ୍‌ ଫିଲ୍ମ, ୱେବ୍‌ ସିରିଜରେ ଦେଖିବାକୁ ପାଉଛୁ। ଟୁଏଲ୍‌ଭଥ୍‌ ଫେଲ୍‌, ସାଧୋ, ଓୟେ ଲକି ଲକି ଓୟେ, ହିସାବ ବରାବର୍‌ ଆଦି ହିନ୍ଦୀ ଚଳଚ୍ଚିତ୍ର ସହ ଦ୍ୱିଭାଷୀ ଚଳଚ୍ଚିତ୍ର ୱାନ୍‌ ଓ୍ବେ (ହିନ୍ଦୀ ଓ ଇଂଲିଶ), ମହାରାଣୀ ଓ୍ବେବ୍‌ ସିରିଜ୍‌ ଏବଂ ଓଡ଼ିଆ ଚଳଚ୍ଚିତ୍ର ମାଲ୍ୟଗିରି, ଜେଙ୍ଗାବୁରୁ କର୍ସ ଓ ବାରଙ୍ଗ ୧୯୯୯ ସିରିଜ୍‌ ଆଦି ତାଙ୍କର ଗୋଟିଏ ଗୋଟିଏ ହିଟ୍‌ ପ୍ରୋଜେକ୍ଟ। ସୁକୁମାରଙ୍କ ସହ ଏଥରର ଧରିତ୍ରୀ ଆଳାପ।
ଅଭିନୟକୁ କିଭଳି ଆସିଲେ?
ଚତୁର୍ଥ ଶ୍ରେଣୀରେ ପଢ଼ିବା ସମୟରେ ସ୍କୁଲ ଫଙ୍କ୍‌ଶନରେ ଏକ ନାଟକରୁ ଅଭିନୟ ଆରମ୍ଭ କରିଥିଲି। ପରେ ଭୁବନେଶ୍ୱର ପଢ଼ିବାକୁ ଆସିଥିଲି। ସେତେବେଳେ ପେପରରେ ଏକ ଆଡ୍‌ ପଢ଼ିଲି, ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟରେ ଆର୍ଟିଷ୍ଟ ଦରକାର, ଯେଉଁମାନଙ୍କୁ ପେଡ୍‌ ମଧ୍ୟ କରାଯିବ। ସେଠାରେ ଚୟନ ହେବା ପରେ ରେଗୁଲାର ନାଟକ ଅଭ୍ୟାସ ଆରମ୍ଭ ହେଲା। ୨୦୦୦ ମସିହାରେ ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ପକ୍ଷରୁ ଭାରତ ରଙ୍ଗ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଟ୍ରଷ୍ଟକୁ ଏକ ଚିଠି ଆସିଲା। ଓଡ଼ିଶାରୁ ଏହା ପ୍ରଥମଥର ଥିଲା। ସେଠାକୁ ଗଲା ପରେ ମୋତେ ଲାଗିଲା, ଯଦି ମୁଁ ଅଭିନୟରେ କ୍ୟାରିୟର କରିବାକୁ ଚାହୁଁଛି ତା’ହେଲେ ମୋତେ ଏନ୍‌ଏସ୍‌ଡିରେ ପଢ଼ିବାକୁ ପଡ଼ିବ। ସେଠି ପାଠପଢ଼ା ପରେ ଏନ୍‌ଏସ୍‌ଡି ରେପେର୍‌ଟୋରିରେ ୬ବର୍ଷ କାମ କଲି। ପରବର୍ତ୍ତୀ ସମୟରେ ଏନ୍‌ଏସ୍‌ଡି ଏକାଡେମିକ ଓ ଆଡମିନିଷ୍ଟ୍ରେଟିଭ୍‌ରେ ଯୋଗଦେଲି। ପୁଣି ରେପେର୍‌ଟୋରି ଫେରି ୪ବର୍ଷ ଲିଡ୍‌ କଲି। ପରେ ଭାରତର ସବୁ ଅଡିଟୋରିୟମ ଓ ଅନେକ ଦେଶରେ ମଧ୍ୟ ନାଟକ ପ୍ରଦର୍ଶନ କଲି। ଏହାପରଠାରୁ ହିନ୍ଦୀ ଫିଲ୍ମ, ୱେବ୍‌ ସିରିଜ, ଓଡିଆ ଫିଲ୍ମରେ କାମ ଚାଲିଛି।
ସାମ୍ପ୍ରତିକ ଓଡ଼ିଶାର ନାଟକ ସମ୍ପର୍କରେ କ’ଣ କହିବେ?
ସେତେବେଳେ ବି ନାଟକ ଓଡ଼ିଶାରେ ଭଲ ଚାଲିଥିଲା। ଆଜି ବି ଚାଲୁଛି। ଆମେମାନେ ଆମ ସଂସ୍କୃତି, ପରମ୍ପରାକୁ ଦେଖାଉଥିଲୁ। ଏବେ ସେମାନେ ତାଙ୍କ ସମୟରେ ଥିବା କାହାଣୀ, ସଂସ୍କୃତିକୁ ଦେଖାଉଛନ୍ତି।
ଓଡ଼ିଆ ଫିଲ୍ମ ଦେଖନ୍ତି?
ଫାଙ୍କା ହେଲେ ଦେଖେ। ମାତ୍ର ଏବେ ଟିକେ ୨୦୧୦ ମସିହା ପରଠୁ ଫିଲ୍ମ ଦେଖିବା ବନ୍ଦ କରିଦେଇଛି। କାରଣ ସବୁ ଫିଲ୍ମରେ ପ୍ରାୟ ସେହିସବୁ ଜିନିଷ ଦେଖିବାକୁ ପାଇଲି। କହିବା ଶୈଳୀ ଏକା, ବସିବା, ଉଠିବା ସବୁଥିରେ ସମାନ ଲଗେ। ଯାହା ମୋତେ ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଆକୃଷ୍ଟ କଲାନି।
ବର୍ତ୍ତମାନର ପିଢ଼ି କିଛି ନୂଆ କଲେ, ପୂର୍ବ ପିଢ଼ି ନାପସନ୍ଦ କରିବା କିମ୍ବା ସହଯୋଗ ନ କରିବାର କଥା ଶୁଣିବାକୁ ମିଳୁଛି। ଏ ନେଇ ଆପଣଙ୍କ ମତ?
ନୂଆପିଢ଼ିର ପିଲାମାନେ ଏକ୍ସପେରିମେଣ୍ଟ କରୁଛନ୍ତି। ଟ୍ରାଏଲ ଆଣ୍ଡ୍‌ ଏରର୍‌ ବେସିସ୍‌ରେ କାମ କରୁଛନ୍ତି। ପୁରୁଣା ପିଢ଼ି ଚାହୁଁଛନ୍ତି, ଆମେ ଯେମିତି କରୁଥିଲୁ ସେମିତି ହେଉ। ନୂଆ ପିଢ଼ି କିଛି ନୂଆ କରିବାକୁ ଚେଷ୍ଟା ଚଲେଇଛନ୍ତି। ତେଣୁ ଏଭଳି ହେବ। ମାତ୍ର ନୂଆ ପିଢ଼ିଙ୍କ କାମକୁ ସମ୍ପୂର୍ଣ୍ଣ ମନା କରିବା କଥା ନୁହେଁ। ସେମାନଙ୍କୁ ଗ୍ରହଣ କଲେ ହିଁ ବହୁତ କିଛି ହୋଇପାରିବ।
୨ ଇଣ୍ଡଷ୍ଟ୍ରି ମଧ୍ୟରେ ପାର୍ଥକ୍ୟ?
ବଲିଉଡ୍‌ରେ ଅର୍ଥର ଅଭାବ ନାହିଁ। ମାତ୍ର ଏପଟେ ଅଳ୍ପ ଧନ ବିକଳ ମନ। ବ୍ୟବସାୟ କୌଶଳ ଅଭାବରେ ଆମେ ବହୁତ କିଛି କରିପାରୁନାହୁଁ। ହେଲେ ବର୍ତ୍ତମାନ ବହୁତ ଭଲ ପିଲା ଇଣ୍ଡଷ୍ଟ୍ରିକୁ ଆସୁଛନ୍ତି। ‘ବାରଙ୍ଗ ୧୯୯୯’ ଦେଖନ୍ତୁ କମ୍‌ ପଇସାରେ ମଧ୍ୟ ମହାରାଣୀ ଭଳି ୱେବ୍‌ ସିରିଜଠୁ କିଛି କମ୍‌ ନୁହେଁ। ମଡର୍ନ ଟେକ୍ନୋଲୋଜି ନ ଥିଲେ ମଧ୍ୟ ପୁରୁଣା ଟେକ୍ନୋଲୋଜିରେ ଆମେ ବହୁତ କିଛି କରିପାରୁଛୁ। କ୍ରିଏଟିଭିଟି ଅନୁସାରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍‌। ବାସ୍‌ ଆର୍ଥିକ ସମସ୍ୟା ରହୁଛି।
ଅବସର ସମୟରେ କ’ଣ କରନ୍ତି?
ପଢ଼ିବାକୁ ଭଲପାଏ।
କ’ଣ ଖାଇବାକୁ ଭଲ ଲାଗେ?
ଭାତ, ଡାଲି, ଶାଗ, ମାଛଭଜା।
ଅଭିନୟକୁ ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କ’ଣ ବାର୍ତ୍ତା ଦେବେ?
ପ୍ରସ୍ତୁତ ହୋଇ ଆସନ୍ତୁ। ପ୍ରଶିକ୍ଷଣ ନିହାତି ଆବଶ୍ୟକ। ତେଣିକି ଯେଉଁ କ୍ଷେତ୍ରରେ କ୍ୟାରିୟର କରନ୍ତୁ।

-ସାକ୍ଷାତ୍‌ : ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର

Share