ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରୁ ମାଓବାଦୀ କ୍ୟାମ୍ପ ଠାବ

ରାଉରକେଲା, ୭ା୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଉପଦ୍ରବ ଜାରି ରହିଛି। ସୁରକ୍ଷାବଳଙ୍କୁ ଆକ୍ରମଣ କରିବା ଓ ବିସ୍ଫୋରକ ବିଛାଇବା ଆଦି ମାଓବାଦୀମାନେ କରୁଥିବା ବେଳେ ଗୁରୁବାର ସକାଳେ ସୀମାନ୍ତରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଏଥିରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ମାଓବାଦୀ ରହୁଥିବା ସନ୍ଦେହ କରାଯାଉଛି।

ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନ୍‌ ବେଳେ ଟୋଣ୍ଟୋ ଥାନା ବନଗ୍ରାମ ଜିମ୍ପିଇକରୀ ଓ ଗୁଲଗୁଣ୍ଡା ନିକଟରେ ଥିବା ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ ଥିବା ଦେଖାଯାଇଥିଲା। ଏଥିରୁ ବିପୁଳ ବିସ୍ଫୋରକ ସହ ୯ଟି ଆଇଇଡ଼. କର୍ଟେକ୍ସ ୱାୟାର, ବିଜୁଳି ତାର, ସିରିଞ୍ଜି ଆଇଇଡ଼ି, ପିସ୍ତଲ, ବ୍ୟାଟେରୀ, ସିଲିଂମେଶିନ ଓ ଆନୁଷଙ୍ଗିକ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଜବତ କରିଥିଲେ।

ଏହା ବ୍ୟତୀତ ନିର୍ବାଚନ ପୂର୍ବରୁ ସମସ୍ତ ଦାବି ପୂରଣ କରାଯାଉ ବୋଲି ଏକ ମାଓବାଦୀ ବ୍ୟାନର ମଧ୍ୟ ଜବତ କରାଯାଇଥିଲା। ପରେ ବମ୍‌ ନିରୋଧକ ଦଳର ସହଯୋଗରେ ଉକ୍ତ କ୍ୟାମ୍ପକୁ ନଷ୍ଟ କରିଦିଆଯାଇଥିଲା। ଏ ନେଇ ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ପ୍ରାପ୍ତ ହୋଇଛି।

Share