ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା: ସିବିଟିରେ ଅନିୟମିତତା ଅଭିଯୋଗ କଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୭।୧: ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ର ମେରିଟ୍ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକା ଉପରେ ସନ୍ଧେହ ପ୍ରକାଶ କରିଛନ୍ତି ବହୁ ପରୀକ୍ଷାର୍ଥୀ। ବୁଧବାର ଦିନ ବହୁ ଆଶାୟୀମାନେ ୨୦୨୩ ମସିହାରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା କରାଯାଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଥିବା ଅନିୟମିତତା ଉପରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଖବର ଅନୁଯାୟୀ, ଶହ ଶହ ପ୍ରାର୍ଥୀ ଭୁବନେଶ୍ୱରରେ ଥିବା ଓସେପା କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ଯେ ମେରିଟ୍ ତାଲିକା ପ୍ରକାଶ ପାଇବା ପୂର୍ବରୁ ପରୀକ୍ଷାର କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇ ନାହିଁ। ଯଦିଓ ଅନେକ ପରୀକ୍ଷାର୍ଥୀ ଅଧିକ ମାର୍କ ପାଇଛନ୍ତି, ତଥାପି ସେମାନଙ୍କୁ ମେରିଟ୍ ତାଲିକାରୁ ବାଦ ଦିଆଯାଇଛି, ସେମାନେ କହିଛନ୍ତି ଯେ, ଯେଉଁମାନେ ସିବିଟି କ୍ଳିଅର କରିଛନ୍ତି ସେମାନଙ୍କ ଅନ୍ତିମ ତାଲିକା ପ୍ରକାଶ ପାଇନାହିଁ।

ଆନ୍ଦୋଳନକାରୀ ମାନେ କହିଛନ୍ତି, “କେଉଁ ଆଧାରରେ ପରୀକ୍ଷାର ଯୋଗ୍ୟତା ତାଲିକା ପ୍ରକାଶ ପାଇଛି ତାହା ଆମେ ବୁଝିବାରେ ଅସମର୍ଥ। ପ୍ରାର୍ଥୀ ଚୟନ ପାଇଁ ମାନଦଣ୍ଡ କ’ଣ? କିଏ କେତେ ମାର୍କ ପାଇଛନ୍ତି ତାହା ମଧ୍ୟ ଆମେ ଜାଣି ପାରିନାହୁଁ।ସେହିପରି ଅନ୍ୟ ଏକ ଦିଗ ଯାହା ଜଣାପଡ଼ୁନାହିଁ ତାହା ହେଉଛି କେତେ ସଫଳ ପ୍ରାର୍ଥୀ ଏସସି, ଏସଟି ଏବଂ ସାଧାରଣ ବର୍ଗର ଅଟନ୍ତି। ”

ତେବେ ଓସେପା ନିର୍ଦ୍ଦେଶକ ଅନୁପମ ଶାହା କହିଛନ୍ତି ଯେ ୧୮, ୮୦୫ ପ୍ରାର୍ଥୀଙ୍କ ଏକ ଡ୍ରାଫ୍ଟ ମେରିଟ ତାଲିକା ପ୍ରକାଶ ପାଇଛି। “ପରୀକ୍ଷାର ଉତ୍ତର ବିଷୟରେ ଆମେ ପୂର୍ବରୁ ଆପତ୍ତି ଗ୍ରହଣ କରିଥିଲୁ। ଆମେ ଆମ ପକ୍ଷରୁ ଆପତ୍ତି ପରୀକ୍ଷା କରିଥିଲୁ। ସିବିଟି ସ୍କୋରିଂ ଆଧାରରେ ପରୀକ୍ଷଣର ଫଳାଫଳକୁ ମୂଲ୍ୟାଙ୍କନ କରାଯାଇଥିଲା। ଏଥିରେ କୌଣସି ତ୍ରୁଟି ନାହିଁ। ଅନଲାଇନ୍ ପରୀକ୍ଷା ସମ୍ବନ୍ଧୀୟ ସାଧାରଣ ପ୍ରକ୍ରିୟାକୁ ଆମେ ଅନୁସରଣ କରିଛୁ ବୋଲି ଶାହା କହିଛନ୍ତି।

ସୂଚନାଯୋଗ୍ୟ, କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା। କଳା, ବିଜ୍ଞାନ, ତେଲୁଗୁ, ଉର୍ଦ୍ଧୁ ଓ ବଙ୍ଗାଳୀ ଶିକ୍ଷକ ପାଇଁ ମୋଟ୍‌ ୧୮,୭୮୮ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୯,୯୮୨ଜଣ ସ୍ଥାନ ପାଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଶିକ୍ଷକ ପାଇଁ ମୋଟ ୮,୮୦୬ ଜଣ ଆଶାୟୀ ସ୍ଥାନ ପାଇଛନ୍ତି।

Share