
ଥୁଆମୂଳ ରାମପୁର,୨୯ା୧ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହଠାରେ ବୁଧବାର ଦ୍ୱିମାସିକ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ଏମ୍ପି ବ୍ଲକ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଏଇଇ ସାଲକୋ ହେମ୍ରମଙ୍କ ସମେତ ଗ୍ରାମ ପଞ୍ଚାୟତ ସମିତି ସଭ୍ୟାସଭ୍ୟ, ସରପଞ୍ଚ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ରହିଥିଲେ। ବିଭିନ୍ନ ବିଭାଗର କର୍ମଚାରୀ ଉନ୍ନୟନ କାର୍ଯ୍ୟର ବିବରଣୀ ଉପସ୍ଥାପନା କରିଥିଲେ। ଏହି ପରିପ୍ରେକ୍ଷୀରେ ସାଂସଦ ବ୍ଲକ ପ୍ରତିନିଧି ନାଏକ ବିଭିନ୍ନ ବିଭାଗରେ ଖାଲି ପଡିଥିବା କର୍ମଚାରୀ ପଦବୀ ଯଥାଶୀଘ୍ର ପୂରଣ କରାଯାଉ ବୋଲି ଦାବି କରିଥିଲେ। ଡୁମେରପଦର ପଞ୍ଚାୟତ ସମିତି ସଭ୍ୟ ରାଏଦାସ ନାଏକ, ମାଳିଗାଁ ପଞ୍ଚାୟତ ସମିତି ସଭ୍ୟ ବଳଦେବ ଗୌଡ, ସିଲେଟ ପଞ୍ଚାୟତ ସମିତି ସଭ୍ୟ ବିପିନ ନାଏକ ଶିକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ଠିକ୍ ଭାବେ ସୁପରିଚାଳନା କରାଯିବାକୁ ଅବଗତ କରାଇଥିଲେ। ସମିତି ସଭ୍ୟ ମୋହନ ସାଗର କିଛିମାସ ହେବ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କାହିଁକି ବଣ୍ଟାଯାଉ ନାହିଁ ବୋଲି କହି ସଭାରେ ପାଟିତୁଣ୍ଡ କରିଥିଲେ। ସେହିପରି ସମିତି ସଭ୍ୟାସଭ୍ୟ ନିଜ ପଞ୍ଚାୟତରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଲାଇନ ବିଭାଗ କର୍ମଚାରୀ ନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନା କରିବାକୁ ଅବଗତ କରାଇଥିଲେ।