ପ୍ଲାଷ୍ଟିକ୍‌ କବ୍‌ଜାରେ ଓଡ଼ିଶାର କଶ୍ମୀର

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ ଥଣ୍ଡା ରହୁଥିବାରୁ ଏହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ପର୍ଯ୍ୟଟକଙ୍କ ପାଇଁ ପ୍ରାୟ ଶହେ ଦିନ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ କରାଯାଇଛି। ପର୍ଯ୍ୟଟକ ଆସି ଏଠାରେ ରାତ୍ରିଯାପନ କରିଥାନ୍ତି। ସେମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ବୁଲି ମଜା ନେଉଥିବା ବେଳେ ଡ଼ୁଲୁରୀ ପାଇନ୍‌ବଣ ଏବଂ କଫି ବଗିଚା ସମ୍ମୁଖରେ ରହିଥିବା ନୀଳଗିରି ବଣ ମଧ୍ୟରେ କୁଢ଼ କୁଢ଼ ଅଳିଆ ଗଦା ସହ, ପ୍ଲାଷ୍ଟିକ୍‌, ମଦ ବୋତଲ, କୁକୁଡ଼ା ପକ୍ଷୀ, ଅଇଁଠା ଥାଳି ପଡ଼ି ପୁତ୍ତିମୟ ଗନ୍ଧ ହେଉଛି। ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସଫେଇ କରିବା ପାଇଁ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତଦାରଖ ଦାୟିତ୍ୱ ଦିଆଯାଇଛି। ସେମାନେ ପର୍ଯ୍ୟଟକଙ୍କଠାରୁ ଏଥିପାଇଁ ହଜାର ହଜାର ଟଙ୍କା ସଫେଇ କରିବାକୁ ଅର୍ଥ ସଂଗ୍ରହ କରୁଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତଗୁଡ଼ିକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚୟନ କରି ଦାୟିତ୍ୱ ଦେବାକୁ ଅନୁମତି ଦେଇଛି ହେଲେ ଏବେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରୁ ପର୍ଯ୍ୟଟକଙ୍କଠାରୁ ଅର୍ଥ ସଂଗ୍ରହ କରିଥିଲେ ମଧ୍ୟ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଡିଓ ଗଦାଧର ପାତ୍ର କହିଛନ୍ତି, ସେ ପଞ୍ଚାୟତର ସରପଞ୍ଚମାନଙ୍କୁ ଏହାର ସଫେଇ ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକମାନେ ସ୍ଥାନୀୟ ପ୍ରଶାସନ ଶୀଘ୍ର ଏହାକୁ ସଫା କରିବାରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Share