Advertisement

ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟିପିଟି ମାରିଦେଲେ, ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ

ଖୋର୍ଦ୍ଧା/ବେଗୁନିଆ,୧୦।୩(ପ୍ରଭାତ ପାଣିଗ୍ରାହୀ/ହର ପ୍ରସନ୍ନ ପଣ୍ଡା) : ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତ ବଡନୂଆପଲ୍ଲୀ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ହେଲେ ଆଦିବାସୀ ସାହିର ଶିବ ନାୟକ(୫୨)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଚଳାଇଛି।

ମୃତକଙ୍କ ପତ୍ନୀ ଅଭିଯୋଗ ପ୍ରକାରେ ଏହି ଗ୍ରାମର କିଛି ଲୋକଙ୍କ ସହ ତାଙ୍କ ସ୍ବାମୀ ଶିବଙ୍କ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଗତକାଲି ବ୍ୟବସାୟରୁ ଫେରିବା ବେଳେ ଗାଁ ଦାଣ୍ଡରେ ତାଙ୍କୁ ୪ରୁ ୫ ଜଣ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବରପାଇ ଖୋର୍ଦ୍ଧା ଏସ୍‌ପି ବି.ଯୁଗଳ କିଶୋର କୁମାର, ଏସ୍‌ଡିପିଓ ଦିଲ୍ଲୀପ କୁମାର ଦାସ ଏକ ପ୍ଲାଟୁନ୍‌ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଇ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share