ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ଏହି ଘଟଣାରେ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲ୍ଲୀର ଅଶ୍ରଫ ଅଲ୍ଲୀ(୩୦), ଗୋପବନ୍ଧୁପାଲ୍ଲୀର ସନ୍ତୋଷୀ ନାୟକ (୪୨), ନିର୍ମଳା ଦାସ(୫୦) ଏବଂ ପଶ୍ଚିମବଙ୍ଗ ମେଦିନାପୁରର ମୂଳନିବାସୀ ତଥା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରେହମତ ନଗରର ମାନୁଆର ବିବି(୬୧)। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ନାବାଳକଙ୍କୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।
ନାବାଳକ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସ ନିକଟ ଲୁଙ୍ଗେର ଟୋଲିର ଶଙ୍କର ସିଂଙ୍କ ପୁଅ। ଗତ ୪ରେ ସେ ରାଉରକେଲା ରେଳଷ୍ଟେଶନ ନିକଟରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଶଙ୍କର ଖୋଜାଖୋଜି କରି ନ ପାଇବା ପରେ ୧୨ ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ନାବାଳକଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ନାବାଳକକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଅଶ୍ରଫ ଅଲ୍ଲୀ ନାବାଳକଙ୍କୁ ଅପହରଣ କରି ସନ୍ତୋଷୀ ନାୟକ, ନିର୍ମଳା ଦାସଙ୍କୁ ଦେଇଥିଲେ। ସେମାନେ ମାନୁଆର ବିବିଙ୍କୁ ବିକ୍ରି କରିଥିଲେ ବୋଲି ଜଣାପଡ଼ିଛି।

Share