‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା ସ୍ଥାନ ପାଇଛି। ଏହି ପତ୍ରିକାରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ଏହା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲ୍ଡିଂ ମଧ୍ୟରୁ ଓଡ଼ିଶା କୃଷିଭବନ ଅନ୍ୟତମ। ସମ୍ବଲପୁର ଇକତ ଡିଜାଇନ ଓ ଶାଢ଼ି ଭଳି ଏହି ବିଲ୍ଡିଂ ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ ଲଣ୍ଡନରେ ପ୍ରକାଶିତ ‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶାର କୃଷିଭବନ ସ୍ଥାନିତ ହୋଇଛି। ଏଥିସହ ଓଡ଼ିଶା ଯେଉଁଭଳି ଲଗାତର ଭାବେ କୃଷିକର୍ମଣ ପୁରସ୍କାର ପାଇଆସୁଛି, ସେ ସମ୍ପର୍କରେ ମଧ୍ୟ ମାଗାଜିନ୍‌ରେ ଉଲ୍ଲେଖ ରହିଛି। କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟ କଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି।
ପ୍ରାୟ ୧.୩ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ଓଡ଼ିଶା କୃଷିଭବନର ଡିଜାଇନ ଦିଲ୍ଲୀର ଷ୍ଟୁଡିଓ ଲୋଟସ୍‌ ପକ୍ଷରୁ କରାଯାଇଛି। ଏହାର ଡିଜାଇନରେ ଓଡ଼ିଶାର କଳା ପ୍ରଦର୍ଶନ ହୋଇଛି। ୨୦୧୩ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୧୮ ସେପ୍ଟେମ୍ବର ୨୦ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲି ଦିଆଯାଇଥିଲା। ଏହାର ନିର୍ମାଣରେ ୭୦ କୋଟି ଟଙ୍କା ବ୍ୟୟ ହୋଇଥିଲା। ଓଡ଼ିଶାର କୃଷି ବିଭାଗ ପାଇଥିବା କୃଷି କର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା।
ସୂଚନାଯୋଗ୍ୟ, କୃଷିଭବନ ପୂର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି। ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକ୍ଚରାଲ ରେକର୍ଡ ସମେତ ଆମ୍‌ଷ୍ଟରଡାମ୍‌ରେ ଅନୁଷ୍ଠିତ ବିଶ୍ୱ ଆର୍କିଟେକ୍ଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା।

Share