ଓଡ଼ିଶା ଜୀବିକା ମିଶନ ଅର୍ଥ ହରିଲୁଟ୍‌

ଢେଙ୍କାନାଳ ଅଫିସ, ୫ା୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଓଡ଼ିଶା ଜୀବିକା ମିଶନରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ଓଡ଼ିଶା ଜୀବିକା ମିଶନ ଜରିଆରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି, ଉଦ୍ୟାନ କୃଷି, ପ୍ରାଣୀପାଳନ, ମାଛଚାଷ, ହସ୍ତଶିଳ୍ପ, ଧାନ କ୍ରୟ, କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେଇ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି। ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଗଁଦିଆ ବ୍ଲକକୁ ଗତ ୩ ବର୍ଷ ମଧ୍ୟରେ ୫ କୋଟି ୫୬ ଲକ୍ଷ ୬୬ ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ସରକାରୀ ତଥ୍ୟ କହୁଛି। ହେଲେ ଉକ୍ତ ଅର୍ଥ କେମିତି ଖର୍ଚ୍ଚ କରାଯାଇଛି ଓ କେଉଁ ଗୋଷ୍ଠୀ କେତେ ଟଙ୍କା ପାଇଛନ୍ତି ତାହାର ହିସାବ ଅଧିକାରୀଙ୍କ ପାଖରେ ନାହିଁ। ଏପରି କି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଏହା ଉପଲବ୍ଧ ନ ଥିବା ବ୍ଲକ କର୍ତ୍ତୃପକ୍ଷ କହୁଛନ୍ତି। କେବଳ ଏତିକି ନୁହେଁ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମହିଳା ଗୋଷ୍ଠୀକୁ ୪ ଲକ୍ଷ ୫୧ ହଜାର ୪୦୦ ଟଙ୍କା ଦିଆଯାଇଥିବା ହିସାବ ଦିଆଯାଇଛି। ହେଲେ ଏ ବାବଦରେ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ। କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତି ସରକାରୀ ଅନୁଦାନ ହଡ଼ପ କରୁଛନ୍ତି। ତେଣୁ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଲକ୍ଷ୍ୟ ପୂରଣ ହେଉନାହିଁ। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବଡ଼ ଦୁର୍ନୀତି ପଦାକୁ ଆସିବ ବୋଲି ପୂର୍ବତନ ବିଧାୟକ ନନ୍ଦ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ କୁହନ୍ତି, ଓଡ଼ିଶା ଜୀବିକା ମିଶନ ସଂକ୍ରାନ୍ତ ତଥ୍ୟ ଆର୍‌ଟିଆଇରେ ମଗାଯାଇଥିବା ବିଷୟ ସେ ଜାଣିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ତଥ୍ୟ ପ୍ରସ୍ତୁତ କରୁଥିବା କହିଥିଲେ। ଅନୁଦାନ ଅର୍ଥ ସ୍ବୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟକୁ ଯାଉଛି। ସେ ବର୍ଷେ ହେଲା ଦାୟିତ୍ୱ ନେଇଛନ୍ତି। ଏଭଳି କିଛି ହୋଇଥିବା ଭଳି ଲାଗୁନାହିଁ। ତଥାପି ଆମେ ଦେଖୁଛୁ ବୋଲି ବିଡିଓ କହିଛନ୍ତି।

Share