ଭୁବନେଶ୍ୱର, ୨୭।୯ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସିଜନ ପାଖେଇ ଆସିଥିବାବେଳେ ପ୍ରସ୍ତୁତି ସ୍ବରୂପ ଓଡ଼ିଶା, ଝାଡ଼ଖଣ୍ଡ ଓ ବେଙ୍ଗଲ ସିନିୟର ଦଳ ମଧ୍ୟରେ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଅଭ୍ୟାସ ମ୍ୟାଚ ଚାଲିଛି। ଏହି କ୍ରମରେ କିଟ୍ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୧୨ ରନରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଓଡ଼ିଶା ସିନିୟର ମହିଳା ସମ୍ଭାବ୍ୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୭୮ ରନ କରିଥିଲା। ଦଳ ପକ୍ଷରୁ ସରିତା ମେହେର ସର୍ବାଧିକ ୩୮ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୧୨ ରନ କରିଥିଲେ। ଝାଡ଼ଖଣ୍ଡର ନିହାରିକା ୨ଟି ଉଇକେଟ ନେଇଥିଲେ। ୭୯ ରନ ବିଜୟ ଲକ୍ଷ୍ୟରେ ଝାଡ଼ଖଣ୍ଡ ଦଳ ପୂରା ୨୦ ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୬୬ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ନିହାରିକା ସର୍ବାଧିକ ୧୬ ରନ କରି ପାରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୁଜାତା ମଲିକ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୩ଟି ଲେଖାଏ ଉଇକେଟ ନେଇଥିଲେ।