Categories: ଖେଳ

ପଣ୍ଡିଚେରୀକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ୍‌ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ୫-୦ ଗୋଲ୍‌ରେ ପଣ୍ଡିଚେରୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍‌ରେ ଦୀନବନ୍ଧୁ ଦାସଙ୍କ ଗୋଲ୍‌ ବଳରେ ଓଡ଼ିଶା ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ସ୍କୋର ହୋଇଥିଲା। ତନ୍ମଧ୍ୟରେ ପ୍ରବୀଣ ଟିଗାଙ୍କ ଦୁଇଟି ଗୋଲ ସାମିଲ। ସେ ୫୨ତମ ମିନିଟ୍‌ରେ ପେନାଲ୍ଟି ଜରିଆରେ ଏବଂ ଅନ୍ୟ ଗୋଲ୍‌ଟି ୬୮ତମ ମିନିଟ୍‌ରେ ସ୍କୋର କରିଥିଲେ। ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇ ରାହୁଲ ମୁଖୀ ୮୫ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ। ୭୫ତମ ମିନିଟ୍‌ରେ ପଣ୍ଡିଚେରୀର ରାଜେଶ କାନ୍ନା ଜି’ ୭୫ତମ ମିନିଟ୍‌ରେ ଆତ୍ମଘାତୀ ଗୋଲ ସ୍କୋର କରିବାରୁ ଓଡ଼ିଶା ଏହି ମ୍ୟାଚ୍‌କୁ ୫-୦ରେ ଜିତିଥିଲା। ଇର୍‌ଫାନ ଇମ୍‌ତିଆଜ ଶେଖ୍‌ ରେଫରି ଭାବେ ଏବଂ ଇଗ୍ନାସିଅସ୍‌ ବାସିଲ ଲରେନ୍ସ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଲାଇଥିଲେ। ଶୁଭଙ୍କର ରୟ ଓ ମାରିମୁଥୁ ପୋନୁସ୍ବାମୀ ପିଲାଇ ସରକାରୀ ରେଫରି ରହିଥିଲେ।

Share