Categories: ଖେଳ

ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ସିକିମକୁ ପରାସ୍ତ କରିଛି। କ୍ୟାପିଟାଲ ଫୁଟବଲ ଆରୋନାରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା ପକ୍ଷରୁ ସଞ୍ଜିତ ଖୋରା ୪ର୍ଥ, ପିଣ୍ଟୁ ସାମଲ ୨୩ ଓ ଚନ୍ଦ୍ର ମୁଦୁଲି ୩୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟଏକ ମ୍ୟାଚରେ ତେଲେଙ୍ଗାନା ୫-୦ ଗୋଲରେ ଆଣ୍ଡାମାନ ଆଣ୍ଡ ନିକୋବରକୁ ହରାଇ ଦେଇଛି। ବିଜୟୀ ଦଳର ସୟଦ ୟୁସୁଫ ୨୯ ଓ ୩୧ ମିନିଟରେ ୨ଟି ଏବଂ ସୋଲାଇମଲାଇନ ୩୯, ଅଧିନାୟକ ଶାଫିକ ମହମ୍ମଦ ୪୭ ଓ ରସିକ ଅହମଦ ଖାଁ ୬୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୭ମ ବାଟାଲିୟନ ପରିସରରେଥିବା ଓଡ଼ିଶା ଫୁଟବଲ ଏକାଡେମୀରେ ଅନୁଷ୍ଠିତ ମ୍ୟାଚରେ ମେଘାଳୟ ୫-୦ ଗୋଲରେ ପଣ୍ଡିଚେରୀକୁ ପରାସ୍ତ କରିଛି। ମେଘାଳୟ ପକ୍ଷରୁ ୪୬ତମ ମିନିଟରେ ବଦଳ ଖେଳାଳିଭାବେ ଆସିଥିବା ମାନଭାକୁପର ୮୩, ୮୭ ଓ ୯୦+୧ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଡୋନଲାଡ ଡିଏଙ୍ଗଡୋ ୧୨ ଓ ୪୫ତମ ମିନିଟରେ ୨ଟି ଗୋଲ ସ୍କୋର କରିଥିଲେ।

Share