Categories: ଖେଳ

ତେଲଙ୍ଗାନାଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପରାଜିତ ହୋଇଥିବାବେଳେ ତେଲେଙ୍ଗାନା, ମେଘାଳୟ ଓ ସିକ୍କିମ ବିଜୟ ହାସଲ କରିଛି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ୦-୧ ଗୋଲରେ ତେଲେଙ୍ଗାନାଠାରୁ ହାରି ଯାଇଛି। ମ୍ୟାଚର ୨୯ତମ ମିନିଟରେ ସୋଲାଇମଲାଇନ୍‌ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଓଡ଼ିଶା ଦଳ ଅନେକ ଉଦ୍ୟମ କରିଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା।

ବିପଜ୍ଜନକ ଖେଳ ପାଇଁ ଓଡ଼ିଶାର ବିଜୟ ବେହେରା ଓ ତେଲେଙ୍ଗାନା ଗୋଲକିପର ଇଶାନ ସର୍କାରଙ୍କୁ ୟେଲୋ କାର୍ଡ ମିଳିଥିଲା। ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ସିକ୍କିମ ୨-୧ ଗୋଲରେ ପଣ୍ଡିଚେରୀକୁ ପରାସ୍ତ କରିଛି। ବିଜୟୀ ଦଳର ଓନଗ ତିସେରିଙ୍ଗ ଲେପ୍‌ଚା ୨୦ ଓ ୩୩ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ପଣ୍ଡିଚେରୀର ଶ୍ରୀନାଥ ୬୬ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲେ। ୭ମ ବାଟାଲିୟନସ୍ଥିତ ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ମେଘାଳୟ ୯-୦ ଗୋଲରେ ଆଣ୍ଡାମାନ ଆଣ୍ଡ ନିକୋବରକୁ ପରାସ୍ତ କରିଛି।

ମେଘାଳୟ ପକ୍ଷରୁ ୪୬ତମ ମିନିଟରେ ବଦଳ ଖେଳାଳିଭାବେ ଆସିଥିବା ଏଭରବ୍ରାଇଟସନ ସାନା ମିଲେମ୍ପଦା ୭୦, ୭୫ ଓ ୮୦ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଫିଗୋ ସିଣ୍ଡାଇ ୨୭ ଓ ୩୨ତମ ମିନିଟରେ ୨ଟି ଏବଂ ନିକେଲସନ ବିନା ୩ୟ, ଦାମୋନଲାଙ୍ଗ ପାଥ୍ୟୁ ୬୩, ଦାଜିଏଡଲାଙ୍ଗ ଓ୍ବାନ୍ସନଙ୍ଗ ୮୭ ଓ ଦାମେହୁନ ସି ୯୦+୨ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ଭାବେ ଶେଷ ହୋଇଥିଲା।

Share