ଓଡ଼ିଆରେ ଶପଥ ନେଲେ ଓଡ଼ିଶା ସାଂସଦ

ନୂଆଦିଲ୍ଲୀ,୨୫।୬: ସଂସଦରେ ଶପଥ ନେଲେ ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ବାକି ୧୭ ଓଡ଼ିଆ ଏମ୍‌ପି ଶପଥ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡା ଓଡ଼ିଆରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି।

ସେହିପରି ପୁରୀ ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ସମ୍ବିତ୍‌ ପାତ୍ର। ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି । ମୟୁରଭଞ୍ଜ ଏମ୍‌ପି ନବଚରଣ ମାଝୀ ଲୋକସଭାର ସଦସ୍ୟ ଭାବେ ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଓଡ଼ିଆରେ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି।

ଆସ୍କା ଏମ୍‌ପି ଅନିତା ଶୁଭଦର୍ଶିନୀ ମଧ୍ୟ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ଶପଥ ନେଇଛନ୍ତି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଲୋକସଭାର ସଦସ୍ୟତା ଗ୍ରହଣ କରିଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ଭଦ୍ରକ ଏମ୍‌ପି ଅଭିମନ୍ୟୁ ସେଠୀ, ଯାଜପୁର ଏମ୍‌ପି ଡ. ରବିନ୍ଦ୍ର ନାରାୟଣ ବେହେରା, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଢେଙ୍କାନାଳ ଏମ୍‌ପି ରୁଦ୍ରନାରାୟଣ ପାଣି, କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ ପ୍ରମୁଖ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ।

ଏହି ପରିପ୍ରେକ୍ଷୀରେ ସୋମବାର କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର କାମଚଳା ବାଚସ୍ପତି ସହ ଲୋକସଭାର ସଦସ୍ୟ ଭାବେ ଶପଥ କଣାଇଥିଲେ।