Categories: ଖେଳ

‘ଓଡ଼ିଶା ହକିର ହବ୍‌ ବୋଲି ଦେଖାଇବାକୁ ପଡ଼ିବ’

ଭୁବନେଶ୍ୱର,୨୬।୧୨(କ୍ରୀଡ଼ା ପ୍ରତିନିଧି): ପୁରୁଷ ବିଶ୍ୱକପ୍‌ ହକି ଟ୍ରଫି ରବିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‌ ପରିସରରେ ପହଞ୍ଚିଥିଲା। କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‌ ଓ କିସ୍‌ର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଟ୍ରଫିକୁ କିଟ୍‌ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ନେଇଯାଇଥିଲେ। ସେଠାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ”କ୍ରମାଗତ ଭାବେ ଓଡ଼ିଶାକୁ ଦ୍ୱିତୀୟଥର ପାଇଁ ବିଶ୍ୱକପ୍‌ ହକି ଆୟୋଜନ କରିବାକୁ ସୁଯୋଗ ଦିଆଯାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏବେ ଆମକୁ ଓଡ଼ିଶା ହକିର ବିଶ୍ୱ ହବ୍‌ ଭାବେ ଦେଖାଇଦେବାକୁ ପଡ଼ିବ।]

“ କିଟ୍‌ରେ ଆୟୋଜିତ ଟ୍ରଫି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଚ୍ୟୁତଙ୍କ ସମେତ ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। ଅଲିମ୍ପିଆନ୍‌ ଦୂତି ଚାନ୍ଦ, ସିଏ ଭବାନୀ ଦେବୀ, ଶିବପାଲ ସିଂ, ଆଥଲେଟ୍‌ ଅମିୟ ମଲିକ ଓ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବାକୁ ଆସିଥିବା ୧୫ ହଜାର କ୍ରୀଡ଼ାବିତ୍‌, କୋଚ୍‌ ଓ ଅଫିସିଆଲଙ୍କ ଉପସ୍ଥିତିରେ ହକି ବିଶ୍ୱକପ୍‌ ଟ୍ରଫିକୁ କିଟ୍‌ରେ ସ୍ବାଗତ କରାଯିବା କିଟ୍‌ ଓ କିସ୍‌ ପାଇଁ ଗୌରବର ବିଷୟ ବୋଲି ଅଚ୍ୟୁତ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପ୍ରତି ରହିଥିବା ଅହେତୁକ ସ୍ନେହ ଓ ଶ୍ରଦ୍ଧା ପାଇଁ ଆଜି ଓଡ଼ିଶା ଦୁଇଥର ହକି ବିଶ୍ୱକପ୍‌ ଆୟୋଜନ କରିବାରେ ସମର୍ଥ ହେବା ସହ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଅଚ୍ୟୁତ କହିଥିଲେ। ଏହି ଅବସରରେ କିସ୍‌ ଛାତ୍ରୀଛାତ୍ରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜି ପ୍ରଦର୍ଶନ କରାଯାଇଥିଲା।

Share