ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ ଦେଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ। ଦାବି ପୂରଣ ନ ହେଲେ ୨୭ ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆନ୍ଦୋଳନ ନ କରିବାକୁ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ସଂଘକୁ ତାଗିଦ୍‌ କରାଯାଇଛି। ନିର୍ଦ୍ଦେଶାଳୟ ନିୟମ ନ ମାନି ଆନ୍ଦୋଳନ କଲେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି କ୍ରମରେ ୨୦୨୪ ଅଗଷ୍ଟ ୭ରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ମାସ ଅର୍ଥାତ୍‌ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏସ୍‌ମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ମଙ୍ଗଳବାର ସମସ୍ତ ସିଡିଏମ୍‌ଓ ଓ ସରକାରୀ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ନର୍ସିଂ ନିର୍ଦ୍ଦେଶକ ଆର୍ତ୍ତବନ୍ଧୁ ନାୟକ ଚିଠି ଲେଖିଛନ୍ତି। କୌଣସି ନର୍ସିଂ ଅଫିସର କାର୍ଯ୍ୟ ଛାଡ଼ି ଆନ୍ଦୋଳନ କରୁଥିଲେ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି। ମାତ୍ର ନିର୍ଦ୍ଦେଶନାମା ଜାରି ହେବା ପରେ ମଧ୍ୟ ସଂଘ ନିଜର ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛି। ତେଣୁ ବୁଧବାରଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାନେତ୍ରୀ ଶୁଚିସ୍ମିତା ଦାଶ ସୂଚନା ଦେଇଛନ୍ତି। ନର୍ସିଂ କ୍ଷେତ୍ରରେ ଆଉଟ୍‌ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରିବା, ୨୦୧୩ ନଭେମ୍ବର ୧୨ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ବର୍ଷିଆ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ପ୍ରଦାନ କରିବା, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ଭାବେ ପଦୋନ୍ନତି କରିବା ଆଦି ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀ ସଂଘ ଦାବି ରଖିଛି। ରୋଗୀ ସେବାକୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖରେ ଜରୁରୀସେବା ବ୍ୟାହତ କରାଯିବନାହିଁ। ନର୍ସିଂ ଅଫିସର ଆଇସିୟୁ, ଓଟି ଭଳି ଜରୁରିକାଳୀନ ସେବା ସ୍ବେଚ୍ଛାକୃତ ଭାବେ ଚଳାଇବେ। ତେବେ ଦୁଇଦିନ ଭିତରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

Share