Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ପିସିର ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ୱର,୧୭।୮: ଏମ୍‌ଏସ୍‌ଏମ୍‌ଇ ପ୍ରୋମୋସନ କାଉନସିଲ ଇଣ୍ଡିଆ (ଏମ୍‌ଏସ୍‌ଏମ୍‌ଇପିସିଆଇ)ର ଓଡ଼ିଶା ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରର ଖାରବେଳନଗରସ୍ଥିତ ୟୁନିଟ୍‌-୩ ମଲ୍ଲିକ କମ୍ପ୍ଲେକ୍ସଠାରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଏସ୍‌ଏମ୍‌ଇପିସିଆଇର ଜାତୀୟ ସମ୍ପାଦକ (ସେଣ୍ଟ୍ରାଲ ନୂଆଦିଲ୍ଲୀ) ଦୁଷ୍ୟନ୍ତ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲ (ପିସି) ଓଡ଼ିଶାର ଚେୟାରମ୍ୟାନ ରବି ମାଝି, ଭାଇସ ଚେୟାରମ୍ୟାନ ଦେବରାଜ ପ୍ରଧାନ, ସାଧାରଣ ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଏବଂ ଡିଭିଜନାଲ ହେଡ୍‌ ପ୍ରଦୀପ କୁମାର ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲର ଓଡ଼ିଶା କାର୍ଯ୍ୟାଳୟ ରାଜ୍ୟର ସମସ୍ତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ସହ ଓଡ଼ିଶାର ଶିଳ୍ପୋଦ୍ୟୋଗୀ ତଥା ସାଧାରଣ ବର୍ଗର ଲୋକମାନଙ୍କୁ ମଧ୍ୟ ଆବଶ୍ୟକ ସହଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବ। ସେହିଭଳି ରାଜ୍ୟରେ କିପରି ଅଧିକରୁ ଅଧିକ ଯୁବ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ସେ ଦିଗରେ ମଧ୍ୟ ଆବଶ୍ୟକ କାର୍ଯ୍ୟ କରିବା ସହ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଓ ପ୍ରୋତ୍ସାହିତ କରିବ ବୋଲି ମାଝି ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ସବୁ ବର୍ଗର ଲୋକଙ୍କୁ କିଭଳି ରୋଜଗାରର ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ, ସରକାରୀ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏପରିକି ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ସହ ଯୋଜନାର ପ୍ରଚାର ଓ ପ୍ରସାର କରାଯିବ ବୋଲି ମଲ୍ଲିକ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶର ବିକାଶ ପାଇଁ ସରକାର ଅନେକ ଯୋଜନା ଓ ସୁବିଧା ପ୍ରଦାନ କରୁଛନ୍ତି, ହେଲେ ଯୋଜନାର କାର୍ଯ୍ୟକାରିତା ଓ ସଚେତନତା ସେହି ଅନୁସାରେ ହୋଇପାରୁନାହିଁ। ଏପରିକି ସରକାରଙ୍କର କିଛି ନିର୍ଦ୍ଦିଷ୍ଟ ଯୋଜନା ବିଭାଗୀୟସ୍ତରରେ କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ସ୍କିଲ୍‌ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରେନ୍ୟୁୟର୍ସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏମ୍‌ଏସ୍‌ଏମ୍‌ଇ ପ୍ରମୋସନ କାଉନସିଲ ଇଣ୍ଡିଆ (ଏମ୍‌ଏସ୍‌ଏମ୍‌ଇପିସିଆଇ) ଉଭୟ ସ୍କିଲ୍‌ ଡେଭଲପେଣ୍ଟ ଆଣ୍ଡ ଏଣ୍ଟରପ୍ରେନ୍ୟୁୟର୍ସ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ)ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ କାର୍ଯ୍ୟ କରୁଛି।

Share