ଖୋର୍ଦ୍ଧାରେ ହେବ ଓଡ଼ିଶା ପାଇକ ଏକାଡେମୀ

ଭୁବନେଶ୍ୱର,୯ା୯(ଅନିଲ ଦାସ): ଖୋର୍ଦ୍ଧା ଜିଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଶୁକ୍ରବାର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରିବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ଏହା ପ୍ରତିଷ୍ଠା ହେବ। ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
ପାଇକମାନଙ୍କ ସାମୂହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀମାନଙ୍କ ପାଇଁ ଛାତ୍ରବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ଼ଖୋର୍ଦ୍ଧାଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ। ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡିପିଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା। ଇଂରେଜ ଶାସନ ବିରୋଧରେ ଏହା ଦେଶର ପ୍ରଥମ ବିଦ୍ରୋହ ଥିଲା ବୋଲି ଐତିହାସିକମାନେ ମତପ୍ରକାଶ କରନ୍ତି। ଏହି ମହାନ୍‌ ପାଇକ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୫-ଟି ସଚିବ ଭି. କେ. ପାଣ୍ଡିଆନ ଗତ ଅଗଷ୍ଟ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ। ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ପାଣ୍ଡିଆନ ବର୍ଣ୍ଣନା କରିଥିଲେ। ଏହାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Share