ଆଇସିସି ବିଶ୍ୱକପ୍‌ ପ୍ରମୋରେ ଓଡ଼ିଶାର ପିଣ୍ଟୁ

ବ୍ରହ୍ମପୁର ୨୨ା୭ (ତନୁଶ୍ରୀ ନାହାକ): ଓଡ଼ିଶାର ଖେଳ ପ୍ରେମୀଙ୍କ ଲାଗି ଏକ ଭଲ ଖବର। ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଜଣେ ଅନ୍ୟତମ ଦୃଢ ପ୍ରଶଂସକ ରୂପେ ପରିଚିତ ରାଜ୍ୟର ପିଣ୍ଟୁ ବେହେରା ଭାରତରେ ଅକ୍ଟୋବର ୫ରୁ ହେବାକୁଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଫିସିଆଲ ପ୍ରମୋରେ ସ୍ଥାନ ପାଇଛନ୍ତି। ୩୪ ବର୍ଷୀୟ ପିଣ୍ଟୁ ବ୍ରହ୍ମପୁର ସହରର ଜଣେ ଜଣାଶୁଣା କଣ୍ଟ୍ରାକ୍ଟର। ସେ ତାଙ୍କ ଶରୀରରେ ହାତ, ଗୋଡ଼, ପିଠି, ପେଟ ଏବଂ ଅନ୍ୟ ଅଂଶରେ ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲିଙ୍କର ଟାଟୁ କରିଛନ୍ତି। ପିଣ୍ଟୁଙ୍କ ଶରୀରରେ ଏହି ସବୁ ଟାଟୁ ଟି. ଗଣେଶ ରାଓ ନାମକ ଜଣେ ଟାଟୁ ଆର୍ଟିଷ୍ଟ କରାଇଛନ୍ତି। ପିଣ୍ଟୁ ତାଙ୍କର ନିୟମିତ ଗ୍ରାହକ। ୬ ମାସ ତଳେ ଶେଷ ଥର ପାଇଁ ସେ ଟାଟୁ କୁଟାଇବା ଲାଗି ତାଙ୍କ ନିକଟକୁ ଆସିଥିଲେ ବୋଲି ଗଣେଶ କହିିଛନ୍ତି। ପିଣ୍ଟ କହିଛନ୍ତି, କୋହଲିଙ୍କୁ ଭେଟିବା ଲାଗି ତାଙ୍କର ଏକ ସ୍ବପ୍ନ ଥିଲା। ତାଙ୍କ ସହ ଭେଟ ହେବାପରେ ତାଙ୍କୁ ନୂଆ ନୂଆ ଅଫର ଓ ସମ୍ମାନ ମିଳୁଛି। ଆଇସିସି ଦ୍ୱାରା ରିଲିଜ କରାଯାଇଥିବା ଦିନିକିଆ ବିଶ୍ୱକପ୍‌ ପ୍ରମୋରେ ତାଙ୍କୁ ସ୍ଥାନ ମିଳିଥିବାରୁ ସେ ଖୁବ୍‌ ଆନନ୍ଦିତ। କୋହଲିଙ୍କ ଏହି ଦୃଢ ପ୍ରଶଂସକ କହିଛନ୍ତି, ପ୍ରମୋର ଶୁଟିଂ ବେଳେ ତାଙ୍କର ଦକ୍ଷିଣ ଆଫ୍ରିକା କ୍ରିକେଟର ଜେ.ପି. ଡୁମିନି ଏବଂ ଭାରତୀୟ ସ୍ପିନର ମୁରଲୀ କାର୍ତ୍ତିକଙ୍କ ସହ ତାଙ୍କର ଭେଟ ହୋଇଥିଲା। ଉଇକେଟକିପର ବ୍ୟାଟର ଦୀନେଶ କାର୍ତ୍ତିକଙ୍କ ଚେହେରା ସହ ଅନେକ ମେଳ ଖାଉଛି ବୋଲି ତାଙ୍କୁ ଉପସ୍ଥିତ କ୍ରିକେଟରମାନେ ‘ଡିକେ’ ବୋଲି ସମ୍ବୋଧନ କରୁଥିଲେ। ସେମାନେ ମୋ ସହିତ ମନ ଖୋଲା କଥା ହେବା ସହ ମୋତେ ବଧେଇ ଜଣାଇଥିଲେ। ବିରାଟ କୋହଲିଙ୍କ ଫିଟ୍‌ନେସ ଚେହେରା ତାଙ୍କୁ ଖୁବ୍‌ ଭଲ ଲଗେ। ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁଥିବା ବିଶ୍ୱକପ୍‌ ବେଳକୁ ସେ ତାଙ୍କ ଚେହେରକୁ ବିରାଟଙ୍କ ଭଳି ବନେଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ପିଣ୍ଟୁ କହିଛନ୍ତି। ମ୍ୟାଚ ସମୟରେ ସେ ବିରାଟଙ୍କୁ ୪ରୁ ୫ଥର ଭେଟିଛନ୍ତି। ଦୁଇଥର କୋଲକାତାରେ, ଥରେ ଅହମ୍ମଦାବାଦରେ ତାଙ୍କୁ ଭେଟିଥିଲେ। ୨୦୧୯ରେ ବିଶାଖାପାଟଣାଠାରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ବେଳେ ସେ କୋହଲିଙ୍କ ସହ ନେଇଥିବା ଫଟୋ ସାରା ଦେଶରେ ଭାଇରାଲ ହୋଇଥିଲା।

Share